ନ୍ୟୁଜ ଡେକ୍ସ :ବିଧାନସଭାରେ ଆଜି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ ତୀବ୍ର ମୁହାଁମୁହିଁ ଦେଖାଦେଇଛି। ଦୁଇ ନେତା ନିଜ ନିଜ ନିର୍ବାଚନମଣ୍ଡଳୀର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଗୃହରେ ଜୋରଦାର ବାକ୍ୟୁଦ୍ଧରେ ଲିପ୍ତ ହୋଇଥିବାରୁ ବିଧାନସଭାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।
ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଗୃହରେ ଅଭିଯୋଗ କରି କହିଥିଲେ ଯେ, ସୋନପୁରରେ ନିର୍ମିତ ନୂଆ ସିଏଚସି (ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର) ନିର୍ମାଣ ଶୈଳୀରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି, କିନ୍ତୁ ସେଠାରେ ଯଥେଷ୍ଟ ଡାକ୍ତର ନାହାନ୍ତି। ସେ ଅଭିଯୋଗ କରିଥିଲେ ଯେ, ମନ୍ତ୍ରୀ ନିଜ ଅଞ୍ଚଳକୁ ଭଲ ଡାକ୍ତରମାନଙ୍କୁ ବଦଳି କରି ନେଇଯାଉଛନ୍ତି, ଫଳରେ ତାଙ୍କ ଅଞ୍ଚଳର ଅନେକ ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି।ଏହାର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଥିଲେ ଯେ, ବିଜେଡି ସରକାର ୨୪ ବର୍ଷ ଧରି କ୍ଷମତାରେ ଥିବାବେଳେ ବର୍ତ୍ତମାନର ସରକାର ଉତ୍ତରାଧିକାରୀ ସୂତ୍ରରେ ଦାୟିତ୍ୱ ପାଇଛି। ପୂର୍ବ ସରକାରରେ ନିରଞ୍ଜନ ପୂଜାରୀ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ବୋଲି ସେ ସ୍ମରଣ କରାଇଥିଲେ।
ମନ୍ତ୍ରୀ କହିଥିଲେ, ଦେଢ଼ ବର୍ଷ ମଧ୍ୟରେ ସ୍ପେସିଆଲିଷ୍ଟ ଡାକ୍ତର ତିଆରି କରିବା ସମ୍ଭବ ନୁହେଁ। ବର୍ତ୍ତମାନ ସୁଦ୍ଧା ୫ ହଜାର ୧୯୫ ଜଣ ମେଡିକାଲ ଅଫିସର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଛି। ତଥାପି ରାଜ୍ୟରେ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ଅଭାବ ରହିଛି ବୋଲି ସେ ମାନିଥିଲେ ଏବଂ ଆଗାମୀ ଦିନରେ ସମସ୍ତ ପଦବୀ ପୂରଣ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏହି ତୀବ୍ର ତର୍କ-ବିତର୍କ ପରେ ବିଧାନସଭାର ପରିବେଶ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

