ନ୍ୟୁଜ ଡେକ୍ସ : ଆସନ୍ତା ୨୭ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ପର୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି ଥିବାରୁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଏସ. ଦେବଦତ୍ତ ସିଂ ସ୍ୱୟଂ ବିଧାନସଭା ପରିସରରେ ପହଞ୍ଚି ସୁରକ୍ଷା ଯାଞ୍ଚ କରିଛନ୍ତି।
ଏଥର ବିଧାନସଭା ଅଧିବେଶନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେବେ। ବ୍ଲୁବୁକ୍ ଗାଇଡ଼ଲାଇନ୍ ଅନୁଯାୟୀ ସୁରକ୍ଷା ପ୍ରଟୋକଲ୍କୁ କଡାକଡି ଭାବରେ ପାଳନ କରାଯାଉଛି। ଆସନ୍ତା ୨୭ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଗସ୍ତରେ ଆସିବେ। ଏଥିପାଇଁ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଗସ୍ତ ସମୟରେ ଯେପରି କିଛି ତ୍ରୁଟି ନ ରହେ, ସେଥିଲାଗି ପୋଲିସ ବିଭିନ୍ନ ବିଭାଗ ସହ ଆଲୋଚନା କରିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୋମବାର ପୋଲିସ ଏବଂ ଅନ୍ୟାନ୍ୟ ବିଭାଗ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ୨୭ ତାରିଖ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି।
ସେ ଉକ୍ତଦିନ ରାଜଭବନରେ ରାତ୍ରି ଯାପନ କରିବେ। ୨୮ ତାରିଖରେ ବିଧାନସଭା କାର୍ଯ୍ୟକ୍ରମରେ ଯୋଗଦେବେ।ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପରିସରରେ ସିଆଇଏସ୍ଏଫ୍ କର୍ମଚାରୀଙ୍କଠୁ ଆରମ୍ଭ କରି ବିଧାନସଭା ବାହାରେ ପୋଲିସ କର୍ମଚାରୀଙ୍କ ମିଳିତ ସମନ୍ବୟରେ ସୁରକ୍ଷା ବ୍ୟବସ୍ଥା କରାଯିବ। ବିମାନବନ୍ଦରଠାରୁ ରାଜଭବନ ଓ ସେଠାରୁ ବିଧାନସଭା ପର୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ କରାଯିବ। ତେଣୁ ମିଳିତ ସମନ୍ବୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରୁଖୁରୁରେ କରିବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍ଏଫ୍, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ, ଓଡ଼ିଶା ପୋଲିସ, ଅଗ୍ନିଶମ ବିଭାଗ, ଖୋର୍ଦ୍ଧା ଜିଲା ପ୍ରଶାସନ, ବିଦ୍ୟୁତ୍, ପିଡବ୍ଲ୍ୟୁଡି ଓ ଟ୍ରାଫିକ ବିଭାଗ, କ୍ୟାଟରିଂ ସଂସ୍ଥାର କର୍ମଚାରୀମାନେ ବୈଠକରେ ଉପସ୍ଥିତ ଥିଲେ।

