Mon. Feb 23rd, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଏବେ ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଭାବରେ ଚାଲିଛି। ନୂଆପଡ଼ା ଉପନିର୍ବାଚନ ପରେ ଏହି ଅଧିବେଶନ ବସିବା ସମ୍ଭାବନା ରହିଛି। ଏଥିରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ ଭାବେ, ଏଥର ଶୀତ ଅଧିବେଶନ ଐତିହାସିକ ହେବାକୁ ଯାଉଛି କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି ବୋଲି ଖବର ମିଳିଛି। ରାଷ୍ଟ୍ରପତି ଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ଏବଂ ସେଥିରେ ବିଧାନସଭାକୁ ସମ୍ବୋଧିତ କରିବା ଉପରେ ଚିନ୍ତା-ବିମର୍ଶ ଚାଲିଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅଧିକୃତ ଘୋଷଣା ହୋଇନାହିଁ।ଏହି ବିଷୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “ରାଷ୍ଟ୍ରପତି ମହୋଦୟା ବିଧାନସଭା ଅଧିବେଶନକୁ ଆସିପାରନ୍ତି ବୋଲି ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିମନ୍ତେ ପ୍ରସ୍ତାବ ଦିଆଯାଇଛି।

ପୂରା କାର୍ଯ୍ୟକ୍ରମ ଏଯାବତ୍ ସ୍ଥିର ହୋଇନାହିଁ, ତଥାପି ସମ୍ଭାବନା ଅଛି।” ଏହି ଶୀତ ଅଧିବେଶନରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଚର୍ଚ୍ଚା ହେବା ସହିତ ବିଭିନ୍ନ ବିଭାଗର ଅଗ୍ରଗତି, ଜନସମସ୍ୟା ଓ ଅର୍ଥନୀତିକ ପ୍ରସ୍ତାବ ଉପରେ ମନ୍ଥନ ହେବା ଆଶା ରହିଛି।ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥର ବିଧାନସଭାକୁ ସମ୍ବୋଧିତ କରନ୍ତି, ତେବେ ଏହା ଓଡ଼ିଶା ବିଧାନସଭା ଇତିହାସରେ ଏକ ସ୍ମରଣୀୟ ଘଟଣା ହେବ ବୋଲି ମନୋଭାବ ବ୍ୟକ୍ତ କରିଛନ୍ତି ରାଜନୈତିକ ମହଲ।

Leave a Reply

Your email address will not be published. Required fields are marked *