Thu. Feb 26th, 2026

ନ୍ୟୁଜ ଡେକ୍ସ : ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ସଂପର୍କିତ ବିଲ୍‌କୁ ନେଇ ଜନମହଳରେ ଉଠୁଥିବା ତୀବ୍ର ପ୍ରତିକ୍ରିୟା ପରେ ଏହାର ପୁନର୍ବିଚାର ପାଇଁ ବିଜୁ ଜନତା ଦଳ (ବିଜେଡି) ଦାବି କରିଛି। ଦଳ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ।

ପ୍ରେସମିଟରେ ସେମାନେ କହିଛନ୍ତି ଯେ, ବିଧାନସଭାରେ ୯ ତାରିଖରେ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ସଂପର୍କିତ ବିଲ୍ ପାରିତ ହୋଇଥିଲା। ତଥାପି ଏହି ବିଲ୍‌ରେ ଏକକାଳୀନ ଅହେତୁକ ଦରମା ଓ ଭତ୍ତା ବୃଦ୍ଧିକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାର ଜନସାଧାରଣ ଏହି ବିଲ୍‌କୁ ବିରୋଧ କରୁଥିବାରୁ ଜନମତ ମଧ୍ୟ ବିଲ୍‌ ବିରୋଧରେ ଯାଉଛି।ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଧାନସଭାରେ ବିଲ୍‌କୁ ସମର୍ଥନ କରାଯାଇଥିଲେ ବି ଲୋକମାନଙ୍କ ମନୋଭାବକୁ ସମ୍ମାନ ଦେଇ ଏହାର ପୁନର୍ବିଚାର ଆବଶ୍ୟକ।

ସେ ଆହୁରି କହିଛନ୍ତି ଯେ, ବିରୋଧୀ ଦଳ ନେତା ନ ଆଜି ପର୍ଯ୍ୟନ୍ତ କେବେ ବି ତାଙ୍କ ଦରମା ନେଇନାହାନ୍ତି ଓ ସେହି ରାଶି ସାଧାରଣ ଲୋକଙ୍କ କାମରେ ବ୍ୟୟ କରାଯାଏ। ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖି ବର୍ଦ୍ଧିତ ଦରମା ନେବାରୁ ମନା କରାଯାଇଥିବା ସୂଚନା ମଧ୍ୟ ଦିଆଯାଇଛି। ଦଳ ସଭାପତିଙ୍କ ନିର୍ଦ୍ଦେଶରେ ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି ଯେ, ଜନଭାବନାକୁ ଦୃଷ୍ଟିରେ ରଖି ଏହି ବିଲ୍‌ର ପୁନର୍ବିଚାର କରାଯାଉ।

Leave a Reply

Your email address will not be published. Required fields are marked *