Mon. Dec 23rd, 2024

ନ୍ୟୁଜ ଡେକ୍ସ: ବିନା ହେଲମେଟରେ ସ୍କୁଟି ଚଢ଼ି ରାଜରାସ୍ତାରେ ରିଲ୍ସ କରିବା ପଡ଼ିଲା ମହଙ୍ଗା। ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି ଜବତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ତାଙ୍କ ଗାଡ଼ିକୁ ଜବତ କରାଯାଇଛି। ରାନୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହିଭଳି ୨-୩ଟି ଭିଡିଓ ଗତକାଲି ପୋଷ୍ଟ ହୋଇଥିଲା ।

ଯେଉଁଥିରେ ରାଜଧାନୀର ଏକ ବ୍ୟସ୍ତବହୁଳ ରାସ୍ତାରେ ରାନୀ ସ୍କୁଟି ଚଳାଉଥିବା ଦେଖାଯାଇଥିଲା । ମୁଣ୍ଡରେ ହେଲ୍ମେଟ ପିନ୍ଧି ନଥିଲେ । ସ୍କୁଟି ଚଳାଇବା ବେଳେ ସେ ଗୀତର ତାଳେ ତାଳେ ନାଚୁଥିଲେ । ଅନ୍ୟ କେହି ଜଣେ ଏସବୁର ଦୃଶ୍ୟ ମୋବାଇଲ୍ରେ ରେକର୍ଡ କରୁଥିଲା । ଉକ୍ତ ରାସ୍ତାରେ ଦୃତଗତିରେ ଯାଉଥିବା କାର, ବାଇକ୍, ବସ୍ ସହ ଦୁର୍ଘଟଣାର ଆଶଙ୍କା ଥିଲା । ରାନୀ କିନ୍ତୁ ନାଚଗୀତରେ ଏତେ ମସଗୁଲ ହୋଇଯାଇଥିଲେ ଯେ, ଏଥିପ୍ରତି ତାଙ୍କର ଆଦୌ ନିଘା ନଥିଲା । ଏନେଇ ନାରାୟଣ ବିଶ୍ୱାଳ ନାମକ ଜଣେ ଏକ୍ସ ଆକାଉଣ୍ଟଧାରୀ ଏସ୍ଟିଏକୁ ଟୁଇଟ୍ ଯୋଗେ ଅବଗତ କରାଇଥିଲେ ।

ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପରିବହନ ଆୟୁକ୍ତ ଅମିତାଭ ଠାକୁର ଓ ଡିସିପି ଟ୍ରାଫିକଙ୍କୁ ଉକ୍ତ ଟୁଇଟ୍ରେ ଟ୍ୟାଗ୍ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ବଡ଼ଗଡ଼ ଥାନା ପୁଲିସ ସହାୟତାରେ ଆର୍ଟିଓ-୨ ଏମ୍ଭିଆଇ ସ୍କ୍ୱାଡ୍ ରାନୀଙ୍କ ଘରୁ ସ୍କୁଟିକୁ ଜବତ କରିଛି । ଏସ୍ଟିଏ ଚେତାଇଛି, ଯେକେହି ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମକୁ ଲଂଘିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *