ନ୍ୟୁଜ ଡେକ୍ସ : ଓଡ଼ିଆ ସଙ୍ଗୀତ ଜଗତର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗତ ୧୨ ତାରିଖ ଗୁରୁବାର ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ମସ୍ତିଷ୍କାଘାତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ପ୍ରଥମେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।୧୯୭୦ ଦଶକରୁ ଓଡ଼ିଆ ସଙ୍ଗୀତ ଜଗତରେ ନିଜସ୍ୱ ପରିଚୟ ସୃଷ୍ଟି କରିଥିବା ଗୀତା ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଓ ଆଧୁନିକ ସଙ୍ଗୀତ କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଥିଲେ। ସେ ପ୍ରଖ୍ୟାତ ସଙ୍ଗୀତଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସହ ଗାଇଥିବା ଅନେକ ଡୁଏଟ୍ ଗୀତ ମାଧ୍ୟମରେ ଶ୍ରୋତାମାନଙ୍କ ହୃଦୟ ଜିତିଥିଲେ।
‘ଏମିତି ପୁଅକୁ ମୁଁ ବାହା ହୁଅନ୍ତି’, ‘ବାହା ମୁଁ ହେବି’ ଓ ‘ମୋ ଦେହରେ’ ପରି ସୁପରହିଟ୍ ଗୀତଗୁଡ଼ିକରେ ତାଙ୍କର କଣ୍ଠ ସଦା ସ୍ମରଣୀୟ ହୋଇ ରହିବ। ତାଙ୍କ ସଙ୍ଗୀତୀୟ ଅବଦାନ ପାଇଁ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କର ପରଲୋକ ଓଡ଼ିଆ କଳା ଓ ସଙ୍ଗୀତ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ଭାବେ ଦେଖାଯାଉଛି।

