ନ୍ୟୁଜ ଡେକ୍ସ : ଭାରତୀୟ ମହିଳା କ୍ରିକେଟ ଟିମ୍ ଓମେନ୍ସ ବିଶ୍ୱକପ ୨୦୨୫ ରେ ଚାମ୍ପିଅନ ହେବା ପରେ ସମଗ୍ର ଦେଶରେ ଖୁସିର ଲହର ଛାଇଯାଇଛି। ସୋସିଆଲ୍ ମିଡିଆରୁ ଆରମ୍ଭ କରି ରାସ୍ତା ଘାଟ ପର୍ଯ୍ୟନ୍ତ ଭାରତୀୟ ନାରୀ ଶକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।
ଏହି ଅବସରରେ ପୁରୀର ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ ସୃଜନଶୀଳତା ମାଧ୍ୟମରେ ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସେ ପୁରୀ ସମୁଦ୍ରତଟରେ ତିଆରି କରିଛନ୍ତି ଏକ ୬ ଫୁଟ୍ ଲମ୍ବା ବାଲୁକା ଚିତ୍ରକଳା, ଯାହା ପାଇଁ ପ୍ରାୟ ୫ ଟନ୍ ବାଲି ବ୍ୟବହୃତ ହୋଇଛି। ଏହି ଚିତ୍ରରେ ଲେଖାଯାଇଛି — “Congrats! Bharat ki Nari Shakti”, ଯାହା ଭାରତୀୟ ମହିଳା ଦଳର ଅସାଧାରଣ ସଫଳତାକୁ ଉଦ୍ଜାପନ କରୁଛି।
ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟ ଓମେନ୍ସ କ୍ରିକେଟ ଟିମ୍ ଓମେନ୍ସ୍ କ୍ରିକେଟ ବିଶ୍ଵକପ ୨୦୨୫ରେ ଚମ୍ପିୟାନ ହୋଇ ଭାରତ ପାଇଁ ଇତିହାସ ରଚିଛନ୍ତି । ଏହା ଏକ ଆମ ପାଇଁ ଐତିହାସିକ ବିଜୟ । ଯାହା ସାରା ବିଶ୍ଵ ଦେଖୁଛି । ଭାରତର ନାରୀଶକ୍ତି କ୍ରୀଡା ମାଧ୍ୟମ ଭାରତର ନାରୀ ଶକ୍ତିକୁ ସାରା ବିଶ୍ଵରେ ଦେଖାଇଛନ୍ତି । ଏଣୁ ଆମେ ପୁରା ଭାରତୀୟ ଟିମ୍ କୁ ସାଲ୍ୟୁଟ କରୁଛୁ ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।

