ନ୍ୟୁଜ ଡେକ୍ସ : ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ ବିରାଟ କୋହଲି ଓ ତାଙ୍କ ପତ୍ନୀ, ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ବୃନ୍ଦାବନ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେମାନେ ପ୍ରଖ୍ୟାତ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଥିଲେ। ସାକ୍ଷାତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଭାବେ ଭାଇରାଲ ହେଉଛି।
ଭିଡିଓରେ ବିରାଟ କୋହଲି ବେଶ ଖୁସି ନଜର ଆସୁଥିବା ବେଳେ, ଅନୁଷ୍କା ଶର୍ମା ଭାବପ୍ରବଣ ଦେଖାଯାଉଥିଲେ। ଏହି ସମୟରେ ଅନୁଷ୍କା କହୁଥିବାର ଶୁଣାଯାଉଛି— “ଆମେ ଆପଣଙ୍କର ମହାରାଜ ଜୀ, ଆଉ ଆପଣ ଆମର।” ଉଭୟ ଦମ୍ପତି ଶ୍ରଦ୍ଧା ଓ ନମ୍ରତା ସହିତ ମହାରାଜ ଜୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।ଭଜନ ମାର୍ଗର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର ହୋଇଥିବା ଭିଡିଓରେ, ପ୍ରେମାନନ୍ଦ ଜୀ ମହାରାଜ ବିରାଟ ଓ ଅନୁଷ୍କାଙ୍କୁ ଜୀବନ ଏବଂ କାର୍ଯ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ସେମାନଙ୍କୁ ନିଜ ନିଜ କାର୍ଯ୍ୟ କ୍ଷେତ୍ରକୁ ଈଶ୍ୱରଙ୍କ ସେବା ଭାବେ ଦେଖିବା, ସଦା ନମ୍ର ରହିବା, ହୃଦୟରେ ଗମ୍ଭୀରତା ବଜାୟ ରଖିବା ଏବଂ ନିରନ୍ତର ଈଶ୍ୱରଙ୍କ ନାମ ଜପ କରିବାକୁ ପରାମର୍ଶ ଦେଇଥିଲେ।
କୁହାଯାଉଛି ଯେ ଏହା ଚଳିତ ବର୍ଷ ବିରାଟ ଏବଂ ଅନୁଷ୍କାଙ୍କର ବୃନ୍ଦାବନର ତୃତୀୟ ଗସ୍ତ। ସମ୍ପ୍ରତି ସେମାନେ ୟୁକେରୁ ଭାରତକୁ ଫେରିଥିଲେ। ଏହା ପୂର୍ବରୁ ଜାନୁଆରୀ ମାସରେ ଓ ମେ ମାସରେ ମଧ୍ୟ ସେମାନେ ମହାରାଜ ଜୀଙ୍କୁ ଭେଟିଥିଲେ। ମେ ମାସରେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବାର ପରଦିନ ଉଭୟ ବୃନ୍ଦାବନ ଯାଇଥିଲେ।
କାର୍ଯ୍ୟ କ୍ଷେତ୍ରରେ ଅନୁଷ୍କା ଶର୍ମା ଦୀର୍ଘ ସମୟ ଧରି ଚଳଚ୍ଚିତ୍ର ଜଗତରୁ ଦୂରେ ରହିଛନ୍ତି। ଝିଅ ଭାମିକାର ଜନ୍ମ ପରେ ସେ ଅଭିନୟରୁ ବିରତି ନେଇଥିଲେ। ବିରାଟ ଓ ଅନୁଷ୍କାଙ୍କର ଏକ ପୁଅ ଅକାୟ ମଧ୍ୟ ଅଛି। ଅନୁଷ୍କା ‘ରବ୍ ନେ ବନା ଦି ଯୋଡ଼ି’, ‘ପିକେ’, ‘ସୁଲତାନ୍’, ‘ଏ ଦିଲ୍ ହେ ମୁସ୍କିଲ୍’, ‘ଏନଏଚ୍ ୧୦’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ପ୍ରଶଂସିତ। ସେ ଆଗାମୀ ଦିନରେ ‘ଚକଦା ଏକ୍ସପ୍ରେସ୍’ ଚଳଚ୍ଚିତ୍ରରେ ଦେଖାଯିବେ।

