Sat. Feb 21st, 2026

ନ୍ୟୁଜ ଡେକ୍ସ :ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହରର୍ ଓ ଥ୍ରିଲର ପ୍ରେମୀ ଦର୍ଶକଙ୍କ ପାଇଁ ଆଉ ଏକ ନୂଆ ଉପହାର ଆସୁଛି। ‘ବୋଉ ବୁଟୁ ଭୂତ’ ପରେ ଆସୁଥିବା ନୂଆ ଓଡ଼ିଆ ହରର ଥ୍ରିଲର ଫିଲ୍ମ ‘ମିଡ୍ ନାଇଟ’ର ମ୍ୟୁଜିକ୍ ଓ ଟ୍ରେଲର୍ ସାର୍ବଜନୀନ ଭାବେ ମୁକ୍ତିଲାଭ କରିଛି। ଟ୍ରେଲର୍ ଦେଖିଲେ ଫିଲ୍ମର ଭୟ, ରହସ୍ୟ ଓ ରୋମାଞ୍ଚର ମଜା ଦର୍ଶକଙ୍କୁ ଆଗୁଆ ଅନୁଭୂତି ଦେଉଛି।

ଫିଲ୍ମରେ ମୋଟ ୨ଟି ଗୀତ ରହିଛି। ଏହାମଧ୍ୟରୁ ‘ମାୟାବିନୀ ଏ ଅନ୍ଧାର ରାତି…’ ଗୀତଟି ଦର୍ଶକଙ୍କ ମଧ୍ୟରେ ବେଶ ଆକର୍ଷଣ ସୃଷ୍ଟି କରିଛି। ଏହି ଗୀତଟିକୁ ଡ. ନିର୍ମଳ ନାୟକ ରଚନା କରିଥିବା ବେଳେ, ଓଲିଉଡ଼ର ସବୁଠୁ ଲୋକପ୍ରିୟ ଓ ହଟ୍ ସିଙ୍ଗର ଅସୀମା ପଣ୍ଡା ଏହାକୁ କଣ୍ଠଦାନ କରିଛନ୍ତି।ମନୁ ଦ୍ବିବେଦୀ ଫିଲ୍ମସ୍ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ମନୁ ଦ୍ବିବେଦୀ ନିଜେ କରିଛନ୍ତି। ସେ ଫିଲ୍ମରେ ନାୟକ ଭୂମିକାରେ ମଧ୍ୟ ଦେଖାଯିବେ। ଆକର୍ଷଣୀୟ ବିଷୟ ହେଉଛି, ସେ ବାପା ଓ ପୁଅ – ଉଭୟ ଚରିତ୍ରରେ ଅଭିନୟ କରିଛନ୍ତି, ଯାହା ଫିଲ୍ମକୁ ଅଧିକ ରହସ୍ୟମୟ କରିଛି।

ଫିଲ୍ମର ଅନ୍ୟାନ୍ୟ ମୁଖ୍ୟ ଭୂମିକାରେ ଦେବୁ ବ୍ରହ୍ମା, ପ୍ରତିଭା ପଣ୍ଡା, ଅକ୍ଷୟ ବସ୍ତିଆ, ବିରେନ ମିଶ୍ର, ଡାଏନା, ଆଲିଆ, ପ୍ରିୟା, ସସ୍ମିତା ଓ ସୁଧାଂଶୁବାଳା ଅଭିନୟ କରିଛନ୍ତି। ସହକାରୀ ନିର୍ଦ୍ଦେଶକ ଭାବେ ସୁରେଶ ଦାସ ଦାୟିତ୍ବ ନିର୍ବାହ କରିଛନ୍ତି। ‘ମିଡ୍ ନାଇଟ’ ଆସନ୍ତା ଫେବୃଆରି ୬ରେ ସିନେମାହଲରେ ମୁକ୍ତିଲାଭ କରିବ। ନିର୍ମାତାଙ୍କ ଆଶା ଯେ, ଏହି ଫିଲ୍ମର ହରର୍ ଏକ୍ସପେରିଏନ୍ସ ଦର୍ଶକଙ୍କୁ ଭୟ, ରୋମାଞ୍ଚ ଓ ମନୋରଞ୍ଜନର ଏକ ନୂଆ ଅନୁଭୂତି ଦେବ।

Leave a Reply

Your email address will not be published. Required fields are marked *