Sat. Feb 21st, 2026

ନ୍ୟୁଜ ଡେକ୍ସ : ଭଦ୍ରକ ସହରରେ ନକଲି ଜର୍ଦ୍ଦା ଚାଲାଣକୁ ନେଇ ପୋଲିସ ଏକ ବଡ଼ ସଫଳତା ପାଇଛି। ଭଦ୍ରକ ସହରାଞ୍ଚଳ ପୋଲିସ ଶୁକ୍ରବାର ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ସ୍କୁଟିରେ ନକଲି ଜର୍ଦ୍ଦା ନେଇଯାଉଥିବା ଜଣେ ବେପାରୀକୁ କାବୁ କରିଥିଲା। ଗିରଫ ଅଭିଯୁକ୍ତ ହେଉଛି ରାଜାଉଲ ହକ।ପୋଲିସ କହିଛି, ଗୁପ୍ତ ସୂତ୍ରରୁ ସୂଚନା ପାଇ ସହରାଞ୍ଚଳ ପୋଲିସ ଟିମ୍‌ ନୂଆ ବସଷ୍ଟାଣ୍ଡ ନିକଟରେ ତାଲାଶି ଅଭିଯାନ ଆରମ୍ଭ କରିଥିଲେ।

ସେଠାରେ ସନ୍ଦେହଜନକ ଭାବେ ସ୍କୁଟିରେ ଯାଉଥିବା ରାଜାଉଲ ହକଙ୍କୁ ରୋକି ତାଙ୍କ ଗାଡ଼ି ତଲାଶ କରାଯାଇଥିଲା। ତଲାଶି ସମୟରେ ସ୍କୁଟିରୁ ବିଭିନ୍ନ ବ୍ରାଣ୍ଡ ନାମରେ ପ୍ୟାକ୍‌ ହୋଇଥିବା ନକଲି ଜର୍ଦ୍ଦା ମିଳିଥିଲା, ଯାହାକୁ ପୋଲିସ ଜବତ କରିଥିଲା।ଅଭିଯୁକ୍ତଙ୍କୁ ପଚାରାଉଚାରା କରିବା ପରେ ପୋଲିସ ତାଙ୍କ କାଜିମହଲାସ୍ଥିତ ଘର ଉପରେ ଚଢ଼ାଉ କରିଥିଲା। ସେଠାରେ ଚାଲିଥିବା ଏକ ନକଲି ଜର୍ଦ୍ଦା ତିଆରି କାରଖାନାକୁ ଠାବ କରାଯାଇଥିଲା।

ଘରୁ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା, ବିଭିନ୍ନ ବ୍ରାଣ୍ଡର ଖାଲି ଡବା, ପ୍ୟାକିଂ ମେସିନ, ଏସିଡ୍ ଓ କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି। ପୋଲିସ କହିଛି ଯେ, ଏହି ନକଲି ଜର୍ଦ୍ଦା ସହର ଓ ଆଖପାଖ ଅଞ୍ଚଳରେ ବିକ୍ରି କରାଯାଉଥିଲା, ଯାହା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗଭୀର ଝୁମକି ସୃଷ୍ଟି କରୁଥିଲା। ଏବେ ଅଭିଯୁକ୍ତ ରାଜାଉଲ ହକକୁ ଗିରଫ କରି ପୋଲିସ ତାଙ୍କ ସହ ଜଡିତ ଅନ୍ୟ ଲୋକମାନଙ୍କ ବିଷୟରେ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *