ନ୍ୟୁଜ ଡେକ୍ସ : ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ଷେଣ୍ଢପୁର ନିକଟସ୍ଥ ବୈତରଣୀ ନଦୀ ଏବେ ବାଲି ମାଫିଆଙ୍କ ଚରାଭୂମିରେ ପରିଣତ ହୋଇଛି। ରାତି ହେଲେ ନଦୀ ଘାଟରେ ମାଫିଆଙ୍କ ଦାଦାଗିରି ଆରମ୍ଭ ହୋଇଯାଉଛି। ବିଳମ୍ବିତ ରାତିରୁ ସକାଳ ଯାଏଁ ଅବୈଧ ଭାବେ ବାଲି ଉଠାଯାଇ ଦୈନିକ ୨୦ରୁ ଅଧିକ ଟ୍ରାକ୍ଟରରେ ପରିବହନ କରାଯାଉଛି।ବାଲି ଚୋରି ସହଜ କରିବା ପାଇଁ ମାଫିଆମାନେ ଅନେକ ସ୍ଥାନରେ ନଦୀବନ୍ଧକୁ କାଟି ରାସ୍ତା ତିଆରି କରିଛନ୍ତି।
ସେହି ରାସ୍ତା ଦେଇ ଟ୍ରାକ୍ଟର ଓ ଜେସିବି ନଦୀ ଭିତରକୁ ପ୍ରବେଶ କରି ବାଲି ଉଠାଉଛନ୍ତି। ତହସିଲ ଓ ଖଣି ବିଭାଗର ନିଷ୍କ୍ରିୟତା ଯୋଗୁ ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ନଦୀବନ୍ଧ ଦୁର୍ବଳ ହୋଇ ବନ୍ୟାର ଆଶଙ୍କା ବଢ଼ିଯାଇଛି।ସୂଚନା ଅନୁଯାୟୀ, ନଦୀରେ ପର୍ଯ୍ୟାପ୍ତ ବାଲି ନଥିବା ଦର୍ଶାଇ ସୈରାତ ନିଲାମ ଦିଆଯାଇନଥିବା ସୁଯୋଗକୁ ନେଇ ମାଫିଆମାନେ ପାଣି ଭିତରୁ ବାଲି ଉଠାଇ ଠୁଳ କରୁଛନ୍ତି। ଖଣି ବିଭାଗର ଜିଲ୍ଲା କାର୍ଯ୍ୟାଳୟ ଭଦ୍ରକରେ ଥିବା ସତ୍ତ୍ୱେ ପ୍ରାୟ ୩୫ କିଲୋମିଟର ଦୂର ଷେଣ୍ଢପୁରରେ ଖୋଲାମେଳା ବାଲି ଚୋରି ଚାଲିଛି। ଯେତେବେଳେ ବି ଖଣି ଅଧିକାରୀ ଚଢ଼ଉ ପାଇଁ ଯାଉଛନ୍ତି, ବେଦପୁର, ଖଡ଼ିପଦା, ଦୋବଲ ଓ ଧାମନଗର ଛକରେ ଥିବା ମାଫିଆଙ୍କ ସୂଚନାଦାତାମାନେ ପୂର୍ବରୁ ଖବର ପହଞ୍ଚାଇ ଦେଉଛନ୍ତି।
ଫଳରେ ଅଧିକାରୀ ପହଞ୍ଚିବା ପୂର୍ବରୁ ଟ୍ରାକ୍ଟର ଓ ଯନ୍ତ୍ରପାତି ନଦୀ ଗର୍ଭରୁ ହଟାଇ ଲୁଚାଇ ଦିଆଯାଉଛି। ଏହାଦ୍ୱାରା ଚଢ଼ଉ ପ୍ରକ୍ରିୟା କେବଳ ଔପଚାରିକତାରେ ସୀମିତ ହେଉଛି।ଲଘୁଖଣିଜ ଦାୟିତ୍ୱ ଖଣି ବିଭାଗକୁ ହସ୍ତାନ୍ତର ହେବା ପରେ ତହସିଲ କାର୍ଯ୍ୟାଳୟ ଏଥିରେ ଆଗ୍ରହ ଦେଖାଉନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ରାଜନେତା ଓ ପ୍ରଭାବଶାଳୀଙ୍କ ଚାପ ଯୋଗୁ କ୍ଷେତ୍ର ଅଧିକାରୀମାନେ କଡ଼ା ପଦକ୍ଷେପ ନେବାକୁ ପଛହଟୁଥିବା ଚର୍ଚ୍ଚା ରହିଛି।ଏନେଇ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ କହିଛନ୍ତି ଯେ, ଖଣି ବିଭାଗର ନିର୍ଦ୍ଦେଶକ୍ରମେ ଚଢ଼ଉ କରାଯାଉଛି।
ମାତ୍ର ଅଧିକାଂଶ ସମୟରେ ମାଫିଆମାନେ ଖସି ଯାଉଛନ୍ତି। ଆଗାମୀ ଦିନରେ ଚଢ଼ଉକୁ ଅଧିକ କଡ଼ା କରାଯିବ ବୋଲି ସେ କହିଛନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ତୁରନ୍ତ କଡ଼ା ପଦକ୍ଷେପ ନ ନିଆଯାଇଲେ ବୈତରଣୀ ନଦୀବନ୍ଧ ଭାଙ୍ଗି ବନ୍ୟା ଭଳି ଭୟାବହ ପରିସ୍ଥିତି ସୃଷ୍ଟି ହେବ। ପ୍ରଶାସନ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋରଦାର ଦାବି ଉଠିଛି।

