ନ୍ୟୁଜ ଡେକ୍ସ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସାମ୍ନାକୁ ଆସିବ ସତ। ଧରାପଡ଼ିବ କିଏ କହୁଛି ମିଛ । ଏହାର ପର୍ଦ୍ଦଫାସ କରିବାକୁ ନିଲମ୍ବିତ ଥାନା ଆଇଆଇସିଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ଆଜି ହେବ ପଲିଗ୍ରାଫ ଟେଷ୍ଟ। ଏପଟେ ଭୁବନେଶ୍ୱର ସର୍କିଟ ହାଉସରେ ଆଜି ପ୍ରଥମ ବୈଠକ ବସିଛି।
ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୁଲିସ ଡିଜି, ଗୃହ ବିଭାଗ ଏସିଏସ୍, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଛନ୍ତି। ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ ବୋଲି କମିଶନ ସଚିବ ଗଣମାଧ୍ୟମରେ କହିଛନ୍ତି। ସତ୍ୟପାଠ ଯାଞ୍ଚ କରାଯାଇ ତଦନ୍ତ ଆଗେଇବା ସହ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହାସହିତ ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ହେବ।
ସୂଚନା ଅନୁସାରେ ଗତ ୧୪ତାରିଖରେ ଭରତପୁର ଥାନାରେ ମେଜର ଓ ବାନ୍ଧବୀ ଏକ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ଅକଥନୀୟ ନିର୍ଯାତନା ଦେଇଥିଲେ, ଯାହାକି ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିଲା।