ନ୍ୟୁଜ ଡେକ୍ସ : ୨୮ ଡିସେମ୍ବର, ଅର୍ଥାତ୍ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ନୌସେନାର ଏକ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିବେ। ଏହି ଐତିହାସିକ ଯାତ୍ରା ପରେ ସେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଏହି ସଫଳତା ହାସଲ କରିବେ। ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦ୍ଦୁଲ କଲାମ ୨୦୦୬ ମସିହା ଫେବୃଆରୀ ୧୩ ତାରିଖରେ ବିଶାଖପଟ୍ଟନମରୁ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କାରବାର ବନ୍ଦରଗାହରୁ ଏହି ସମୁଦ୍ର ଯାତ୍ରା ଆରମ୍ଭ କରିବେ। ଏହାସହ ସେ ତାଙ୍କର ଚାରି ଦିନିଆ ଗସ୍ତ ପୂର୍ବରୁ ଆରମ୍ଭ କରି ସାରିଛନ୍ତି। ଏହି ଗସ୍ତ ସମୟରେ ସେ ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ ଗସ୍ତ କରିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ମୁର୍ମୁ ପୂର୍ବରୁ ମଧ୍ୟ ଅନେକ ଐତିହାସିକ କୃତିତ୍ୱ ହାସଲ କରିଛନ୍ତି। ସେ ଭାରତୀୟ ବାୟୁସେନାର ଲଢୁଆ ବିମାନରେ ଉଡ଼ାଣ କରିଥିବା ପ୍ରଥମ ରାଷ୍ଟ୍ରପତି।
ଚଳିତ ବର୍ଷ ୨୯ ଅକ୍ଟୋବରରେ ସେ ରାଫେଲ ଯୁଦ୍ଧବିମାନରେ ଉଡ଼ାଣ କରିଥିଲେ, ଏବଂ ୨୦୨୩ ମସିହାରେ ସୁଖୋଇ-୩୦ ଯୁଦ୍ଧବିମାନରେ ମଧ୍ୟ ଉଡ଼ାଣ ଭରିଥିଲେ। ରାଷ୍ଟ୍ରପତି ଭବନର ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ୨୭ ଡିସେମ୍ବରରେ ଗୋଆ ପହଞ୍ଚିଥିଲେ। ତାଙ୍କର ଗସ୍ତର ଶେଷ ପର୍ଯ୍ୟାୟରେ ସେ ୩୦ ଡିସେମ୍ବରରେ ଝାଡ଼ଖଣ୍ଡ ଗସ୍ତ କରିବେ। ଏହି ସମୁଦ୍ର ଯାତ୍ରା ଦେଶର ନୌସେନା କ୍ଷମତା ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ରାଷ୍ଟ୍ରପତିଙ୍କ ଆସ୍ଥାର ପ୍ରତୀକ ବୋଲି ଗଣ୍ୟ କରାଯାଉଛି।

