ନ୍ୟୁଜ ଡେକ୍ସ: କଳିଙ୍ଗ ଷ୍ଟାଡିୟମ୍ରେ ଆଜି ଠାରୁ ହକି ପର୍ବ ଆରମ୍ଭ। ଦର୍ଶକ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ମ୍ୟାଚର ମଜା ଉଠାଇପାରିବେ । ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ସିଜନରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଆଜିଠାରୁ ଘରୋଇ ଗ୍ରାଉଣ୍ଡରେ ନିଜର ଅଭିଯାନ ଆରମ୍ଭ କରିବେ। ପ୍ରଥମ ଦିବସରେ ୩ଟି ମ୍ୟାଚ୍ ଖେଳାଯିବ । ଘରୋଇ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ ।
ସେମିତି ଏହି ଦୁଇ ମ୍ୟାଚ୍ ପୂର୍ବରୁ ଜର୍ମାନୀ ଓ ସ୍ପେନ ମଧ୍ୟରେ ମହିଳା ଲିଗର ଏକ ମ୍ୟାଚ୍ ଖେଳାଯିବ । ଘରୋଇ ଭେନ୍ୟୁରେ ଭାରତ ପ୍ରୋ ଲିଗ୍ ସିଜନ ଆରମ୍ଭ କରିବାକୁ ଯାଉଛି । ନୂଆ ବର୍ଷରେ ଉଭୟ ଦଳ ନୂଆ ଅଭିଯାନଆରମ୍ଭ କରିବେ । ମହିଳା ଦଳ ଅଧିନାୟିକା ସଲିମା ଟେଟେ କହିଛନ୍ତି, ‘ଘରୋଇ ପରିବେଶ ଏବଂ ଘରୋଇ ପ୍ରଶଂସକଙ୍କ ସାମ୍ନାରେ ଆମେ ଶ୍ରେଷ୍ଠ ପ୍ରଦର୍ଶନକୁ ଦେବାକୁ ପ୍ରୟାସ କରିବୁ । ସବୁ ଦଳକୁ ଆମେ ସମାନ ଭାବେ ଦେଖି ଥାଉ ଏବଂ ସେହି ଅନୁସାରେ ପ୍ରସ୍ତୁତ ହେଉ ।’
ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି ଯେ, ଆମର ସବୁ ଖେଳାଳି ଭଲ ଲୟରେ ଅଛନ୍ତି ଏବଂ ପ୍ରତ୍ୟେକ ମ୍ୟାଚ୍ ଜିତିବା ଲାଗି ଲକ୍ଷ୍ୟ ରଖିଛନ୍ତି। ହକି ଇଣ୍ଡିଆ ଲିଗରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି । ଯୁଗରାଜ ସିଂ ଟପ୍ ସ୍କୋରର ହୋଇଛନ୍ତି । ଜର୍ମାନୀ, ଆୟର୍ଲାଣ୍ଡ, ସ୍ପେନ, ଇଂଲଣ୍ଡ ଏହି ଲେଗ୍ ରେ ଖେଳିବେ । ଏମାନଙ୍କ ସହ ଓ ଅନ୍ୟ ଶୀର୍ଷ ଦଳ ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ବେଲଜିୟମ ବିପକ୍ଷରେ ଭଲ ଖେଳି ଆମେ ବିଶ୍ବକପକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛୁ ।
