Mon. Feb 23rd, 2026

ନ୍ୟୁଜ ଡେକ୍ସ : ଭାରତୀୟ AI ଷ୍ଟାର୍ଟଅପ୍ Sarvam AI ନିଜର ନୂତନ AI ଚାଟ୍ ଆପ୍ ‘Indus’ ଲଞ୍ଚ କରିଛି। ବିଶ୍ୱବ୍ୟାପୀ AI ଚାଟବଟ୍ ମାନଙ୍କ ସହ ପ୍ରତିଯୋଗିତା କରିବା ଲକ୍ଷ୍ୟରେ ଏହି ଆପ୍ ତିଆରି ହୋଇଛି। କମ୍ପାନୀ ଦାବି କରୁଛି ଯେ ଏହାର ମୁଖ୍ୟ ଫୋକସ ଡାଟା ସୁରକ୍ଷା ଏବଂ ଭାରତ-କେନ୍ଦ୍ରିକ AI ଇକୋସିଷ୍ଟମ ଗଠନ ଉପରେ ରହିଛି।Indus AI ଚାଟ୍ ଆପ୍ ୱେବ୍ ଏବଂ ମୋବାଇଲ୍ ଉଭୟ ପ୍ଲାଟଫର୍ମରେ ଉପଲବ୍ଧ।

ବ୍ୟବହାରକାରୀମାନେ Google Play Store ଓ Apple App Storeରୁ ‘Indus by Sarvam’ ଡାଉନଲୋଡ୍ କରିପାରିବେ। ଏହି ଆପ୍ ବିଶେଷ ଭାବରେ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଡିଜାଇନ୍ ହୋଇଥିବା ସହ ୨୨ଟି ଭାରତୀୟ ଭାଷାରେ ଟେକ୍ସଟ୍ ଓ ଭଏସ୍ ସପୋର୍ଟ ଦେଇଥାଏ।କମ୍ପାନୀ କହିଛି ଯେ ମଡେଲଟିକୁ ଭାରତୀୟ ବାକ୍ୟାଂଶ, ଉଚ୍ଚାରଣ ଓ ପ୍ରସଙ୍ଗ ବୁଝିବା ପାଇଁ ବିଶେଷ ଭାବରେ ଟ୍ରେନ୍ କରାଯାଇଛି। କଥାବାର୍ତ୍ତା ସମୟରେ ଭାଷା ବଦଳାଇବାର ସୁବିଧା ମଧ୍ୟ ରହିଛି, ଯେପରିକି ଇଂରାଜୀରୁ ହିନ୍ଦୀ କିମ୍ବା ହିନ୍ଦୀରୁ ଇଂରାଜୀ। ଏହି ଆପ୍ କମ୍ପାନୀର ୧୦୫ ବିଲିୟନ ପାରାମିଟର ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ଉପରେ ଆଧାରିତ। ସର୍ବମ୍ କିଛି ଦିନ ତଳେ ୧୦୫ବି ଏବଂ ୩୦ବି ମଡେଲ୍ ମଧ୍ୟ ଉନ୍ମୋଚନ କରିଥିଲା। ଏହି ଆପ୍ ବର୍ତ୍ତମାନ ବିଟା ପର୍ଯ୍ୟାୟରେ ରହିଥିବା ସହ ମାଗଣାରେ ଉପଲବ୍ଧ।

ଅନ୍ୟପଟେ OpenAIର ChatGPT ମାଗଣା ସଂସ୍କରଣ ସହ GO ଏବଂ Plus ଭଳି ଦେୟଯୁକ୍ତ ଯୋଜନାରେ ମିଳୁଛି। Sarvam Indus ମୌଳିକ ପ୍ରଶ୍ନ, ସ୍ଥାନୀୟ ସୂଚନା ଓ ଭାରତୀୟ ଭାଷାର ଚାହିଦା ପାଇଁ ଏକ ନୂଆ ବିକଳ୍ପ ଭାବେ ଦେଖାଯାଉଛି।ବ୍ୟବହାରକାରୀମାନେ ଟେକ୍ସଟ୍ କିମ୍ବା ଭଏସ୍ ମାଧ୍ୟମରେ ପ୍ରଶ୍ନ ପଚାରି ଟେକ୍ସଟ୍ ଓ ଅଡିଓ ଫର୍ମାଟରେ ଉତ୍ତର ପାଇପାରିବେ। ଫୋନ୍ ନମ୍ବର, ଗୁଗୁଲ୍ ଆକାଉଣ୍ଟ୍ କିମ୍ବା ଆପଲ୍ ଆଇଡି ମାଧ୍ୟମରେ ଲଗ୍ ଇନ୍ ସୁବିଧା ମଧ୍ୟ ରହିଛି। ବର୍ତ୍ତମାନ ପାଇଁ ଏହି ସେବା ମୁଖ୍ୟତଃ ଭାରତରେ ଉପଲବ୍ଧ ରହିଛି।

Leave a Reply

Your email address will not be published. Required fields are marked *