ନ୍ୟୁଜ ଡେକ୍ସ : ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ନେଇ ଏକ ବଡ଼ ଓ ସକାରାତ୍ମକ ପଦକ୍ଷେପ ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ବାଣିଜ୍ୟିକ ଶୁଳ୍କକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ପୂର୍ବରୁ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ପାରସ୍ପରିକ ଟାରିଫ ଲାଗୁ ଥିବା ବେଳେ, ଏହାକୁ ଏବେ ୧୮ ପ୍ରତିଶତକୁ କମାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ ଏବଂ ଭାରତ–ଆମେରିକା ବନ୍ଧୁତ୍ୱକୁ ସମ୍ମାନ ଜଣାଇ ଟ୍ରମ୍ପ ଏହି ପଦକ୍ଷେପ ନେଇଥିବା କୁହାଯାଇଛି।ଏହି ଚୁକ୍ତି ଅନୁସାରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ଥିବା ବିଭିନ୍ନ ବାଣିଜ୍ୟିକ ପ୍ରତିବନ୍ଧକ ଓ ଶୁଳ୍କକୁ ହ୍ରାସ କରିବା ସହ କେତେକ କ୍ଷେତ୍ରରେ ଶୂନ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି। ସେହିପରି ଭାରତ ଆମେରିକାଠାରୁ ପ୍ରାୟ ୫୦୦ ବିଲିୟନ ଡଲାରର ଶକ୍ତି, ପ୍ରଯୁକ୍ତି, କୃଷି ସାମଗ୍ରୀ ଓ କୋଇଲା ଭଳି ଉତ୍ପାଦ କ୍ରୟ କରିବାକୁ ସମ୍ମତି ପ୍ରକାଶ କରିଛି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଦାନ–ପ୍ରଦାନକୁ ନୂଆ ଗତି ଦେବ। ଏହି ଚୁକ୍ତିର ସବୁଠାରୁ ଆଲୋଚିତ ଦିଗ ହେଉଛି ରୁଷିଆ ଠାରୁ ଅଶୋଧିତ ତୈଳ କ୍ରୟ ସମ୍ପର୍କରେ ଭାରତର ଅବସ୍ଥାନ। ଚୁକ୍ତି ଅନୁଯାୟୀ, ଭାରତ ଧୀରେଧୀରେ ରୁଷିଆଠାରୁ ତୈଳ କିଣିବା କମାଇ ଆମେରିକା ଓ ଭେନେଜୁଏଲା ଭଳି ଦେଶମାନଙ୍କୁ ଅଧିକ ମାତ୍ରାରେ ତୈଳ ଆମଦାନୀ କରିବ।
ଟ୍ରମ୍ପଙ୍କ ମତାନୁସାରେ, ଏହି ପଦକ୍ଷେପ ରୁଷିଆ–ୟୁକ୍ରେନ ଯୁଦ୍ଧକୁ ଶେଷ କରିବାରେ ଆର୍ଥିକ ଚାପ ସୃଷ୍ଟି କରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଁ ସେହି ଦୁଇଜଣ ନେତା ଯେଉଁମାନେ କଥା ନୁହେଁ, କାମ କରି ଦେଖାଇଥାନ୍ତି।” ଏହି ଚୁକ୍ତି ପରେ ଭାରତ–ଆମେରିକା ସମ୍ପର୍କ ଆଗାମୀ ଦିନରେ ଆହୁରି ମଜବୁତ ଓ ରଣନୀତିକ ଭାବେ ଗଭୀର ହେବ ବୋଲି ଆଶା କରାଯାଉଛି।ଏହି ଟାରିଫ ହ୍ରାସ ଓ ନୂଆ ବାଣିଜ୍ୟିକ ବ୍ୟବସ୍ଥାର ସର୍ବାଧିକ ଲାଭ ଭାରତୀୟ ଆଇଟି ସେବା, ଔଷଧ ଓ ବୟନ ଶିଳ୍ପକୁ ମିଳିବ।
ଆମେରିକା ବଜାରରେ ଭାରତୀୟ ପଣ୍ୟ ଅଧିକ ପ୍ରତିସ୍ପର୍ଧୀ ହେବା ସହ ରପ୍ତାନି ବୃଦ୍ଧି ପାଇବ, ଯାହା ଭାରତର ଅର୍ଥନୀତିକୁ ଏକ ନୂଆ ଶକ୍ତି ଦେବ। ଉଲ୍ଲେଖନୀୟ ଯେ, ପୂର୍ବରୁ ଆମେରିକା ତାର କୃଷି ଓ କ୍ଷୀର ଉତ୍ପାଦ ଭାରତରେ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ଭାରତ ନିଜ ଦେଶର ଚାଷୀଙ୍କ ହିତ ଦୃଷ୍ଟିରେ ରଖି ସେଥିରେ ସହମତି ଦେଇନଥିଲା, ଯାହାର ପରିଣାମ ସ୍ୱରୂପ ଆମେରିକା ପକ୍ଷରୁ ଟାରିଫ ଲାଗୁ କରାଯାଇଥିଲା। ବର୍ତ୍ତମାନ ନୂଆ ଚୁକ୍ତି ସହ ଏହି ବିବାଦର ମଧ୍ୟ ଏକ ସକାରାତ୍ମକ ସମାଧାନ ମିଳିଥିବା ଦେଖାଯାଉଛି।

