ନ୍ୟୁଜ ଡେକ୍ସ : ବିଶ୍ୱ ବାଣିଜ୍ୟରେ ଏକ ଐତିହାସିକ ପରିବର୍ତ୍ତନ ଆଣିବାକୁ ଯାଉଛି ଭାରତ ଓ ୟୁରୋପୀୟ ସଂଘ (ଇୟୁ)। ଦୀର୍ଘ ୧୮ ବର୍ଷର ଆଲୋଚନା ପରେ ଏବେ ଦୁଇ ପକ୍ଷ ଏକ ବିଶାଳ ମହାବାଣିଜ୍ୟ ରାଜିନାମାର ନିକଟତର ହୋଇଛନ୍ତି। ବଶ୍ବ ଅର୍ଥନୈତିକ ଫୋରମରେ ଇୟୁ କମିସନ ସଭାପତି ଉର୍ସୁଲା ଭନ୍ ଡେର୍ ଲିୟେନ କହିଛନ୍ତି, “ଆମେ ଏକ ଐତିହାସିକ ସମ୍ମତିର ଦ୍ୱାରଦେଶରେ ଦଢ଼ିଆଛୁ।”
ଏହି ରାଜିନାମା ବିଶ୍ୱ ଜିଡିପିର ପ୍ରାୟ ଚତୁର୍ଥାଂଶକୁ ଆବର୍ତ୍ତିତ କରିବା ସହିତ ପ୍ରାୟ ୨୦୦ କୋଟି ଲୋକଙ୍କ ପାଇଁ ଏକ ବଡ଼ ବଜାର ଖୋଲିଦେବ। ଆମେରିକା ପକ୍ଷରୁ ଉଚ୍ଚ ଶୁଳ୍କ ଆଶଙ୍କା ମଧ୍ୟରେ ଏହି ଚୁକ୍ତି ଭାରତ ପାଇଁ ବଡ଼ ଆଶ୍ବାସନ ଭାବେ ଦେଖାଯାଉଛି।୨୭ଟି ଦେଶର ଗଠନ ଥିବା ଇୟୁ ଭାରତର ଦ୍ବିତୀୟ ସର୍ବବୃହତ୍ ବାଣିଜ୍ୟ ସହଯୋଗୀ। ଏହି ରାଜିନାମା ମାଧ୍ୟମରେ ୟୁରୋପ ଚୀନ ଉପରେ ନିର୍ଭରଶୀଳତା କମାଇ ଭାରତକୁ ଏକ ବିଶ୍ୱସନୀୟ ଉତ୍ପାଦନ ଓ ବାଣିଜ୍ୟ ସହଯୋଗୀ ଭାବେ ଗ୍ରହଣ କରିବ।
୨୦୦୭ରେ ଆରମ୍ଭ ହୋଇଥିବା ଆଲୋଚନା ମଧ୍ୟରେ ଅନେକ ଥର ବାଧା ଆସିଥିଲା। ୨୦୨୨ରେ ପୁନର୍ବାର ଗତି ପାଇଥିବା ଏହି ପ୍ରକ୍ରିୟା ଏବେ ରାଜନୈତିକ ଇଚ୍ଛାଶକ୍ତି ଓ ନୂତନ ଭାରତ–ଇୟୁ ବାଣିଜ୍ୟ ଓ ପ୍ରଯୁକ୍ତି ପରିଷଦ ମାଧ୍ୟମରେ ସକାରାତ୍ମକ ଦିଗରେ ଆଗକୁ ବଢ଼ୁଛି।ଏହି ଚୁକ୍ତି ସଫଳ ହେଲେ, ଭାରତ ଓ ୟୁରୋପ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତି, ନିବେଶ ଓ ରୋଜଗାରର ନୂଆ ଦ୍ୱାର ଖୋଲିବ ବୋଲି ଅର୍ଥନୀତିବିଦମାନେ ଆଶା କରୁଛନ୍ତି।

