ନ୍ୟୁଜ ଡେକ୍ସ: ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଲା ଆମେରିକା । ହ୍ବାଇଟ୍ ହାଉସରେ ମେକ୍ ଆମେରିକା ଓ୍ବେଲଦି ଏଗେନ୍ କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ କହିଛନ୍ତି । ଏପ୍ରିଲ୨କୁ ମୁକ୍ତି ଦିବସ ଓ ଏହି ଦିନ ଆମେରିକା ଶିଳ୍ପର ପୁନର୍ଜନ୍ମ ହୋଇଥିବା କହିଛନ୍ତି ।
ଟ୍ରମ୍ପ ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିବା ବେଳେ ଚୀନ୍ ଉପରେ ୩୪ପ୍ରତିଶତ, ପାକିସ୍ତାନ ଉପରେ ୨୯ପ୍ରତିଶତ, ଶ୍ରୀଲଙ୍କା ଉପରେ ୪୪ପ୍ରତିଶତ ଓ ୟୁରୋପୀୟ ସଂଘ ଉପରେ ୨୦ପ୍ରତିଶତ ଟିକସ ଲଗାଇଛନ୍ତି। ତେବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଭାରତର ଜିଡିପି ଉପରେ ପ୍ରାୟ ୨ ଲକ୍ଷ ୬୬ ହଜାର କୋଟି ଟଙ୍କାର ପ୍ରଭାବ ପଡ଼ିପାରେ। ଇଲେକ୍ଟ୍ରୋନିକ୍ସ, ଆଇଟି, ଟେକ୍ସଟାଇଲ ଆଦି କ୍ଷେତ୍ର ପ୍ରଭାବିତ ହୋଇପାରେ । ୨୦୨୪ରେ ଭାରତର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ୩୨ ପ୍ରତିଶତ ରପ୍ତାନୀ ଆମେରିକାକୁ କରିଥିଲା । ତେଣୁ ଇଲେକ୍ଟ୍ରୋନିକ୍ସି କ୍ଷେତ୍ର ପ୍ରଭାବିତ ହୋଇପାରେ । ୨୦୨୪ରେ ଆମେରିକାକୁ ୮୨ ହଜାର ୫୬୦ କୋଟି ଟଙ୍କାର ଟେକ୍ସଟାଇଲ ରପ୍ତାନୀ କରିଥିଲା ଭାରତ। ତେଣୁ ଟେକ୍ସଟାଇଲ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇପାରେ। କିନ୍ତୁ ଆମେରିକା ଟେକ୍ସଟାଇଲ ବଜାରରେ ଚୀନ ଓ ଭିଏତନାମ ସାମଗ୍ରୀର ସେୟାର ଅଧିକ ରହିଛି। କିନ୍ତୁ ଉଭୟ ଦେଶ ଉପରେ ଭାରତଠାରୁ ଅଧିକ ଟିକସ ଲାଗିଥିବାରୁ, ଭାରତ ସାମଗ୍ରୀର ଚାହିଦା ବଢିବା ସମ୍ଭାବନା ରହିଛି।
ଭାରତରୁ ୫୭ ପ୍ରତିଶତ ପଲିସଡ ଡାଇମଣ୍ଡ ଆମେରିକାକୁ ରପ୍ତାନୀ ହୁଏ। ଏହା ଉପରେ କୌଣସି ଟିକସ ପଡୁ ନଥିଲା। ଏବେ ଟିକସ ପଡିଲେ, ଭାରତୀୟ ହୀରା ବ୍ୟବସାୟ କ୍ଷତି ସହିବା ଆଶଙ୍କା ରହିଛି । କିନ୍ତୁ ସୁନାରୂପା ଏବଂ ଫାର୍ମା ସେକ୍ଟର ଉପରେ ଟାରିଫ ଲାଗି ନାହିଁ। ସେହିପରି ହ୍ବାଇଟ୍ ହାଉସରେ ଆୟୋଜିତ ମେକ ଆମେରିକା ୱେଲଦି ଏଗେନ୍ କାର୍ଯ୍ୟକ୍ରମରେ ସେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଛନ୍ତି। ଅନ୍ୟ ଦେଶ ଉପରେ ୧୦ ପ୍ରତିଶତ ନ୍ୟୁନତମ ଟାରିଫ ଲଗାଇବାର ଘୋଷଣା ମଧ୍ୟ କରିଛନ୍ତି ।
