Mon. Feb 23rd, 2026

ନ୍ୟୁଜ ଡେକ୍ସ : ଭାରତ–ପାକିସ୍ତାନ ୧୯୭୧ ଯୁଦ୍ଧରେ ଐତିହାସିକ ଓ ନିର୍ଣ୍ଣାୟକ ବିଜୟକୁ ସ୍ମରଣ କରି ଆଜି ସାରା ଦେଶରେ ୫୪ତମ ବିଜୟ ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ଡିସେମ୍ବର ୧୬ ତାରିଖରେ ପାଳିତ ହେଉଥିବା ବିଜୟ ଦିବସ ଭାରତୀୟ ସଶସ୍ତ୍ର ବାହିନୀର ବୀରତା, ସାହସ ଓ ବଳିଦାନର ଗୌରବମୟ କାହାଣୀକୁ ମନେ ପକାଏ।

୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ଭାରତୀୟ ସେନାଙ୍କ ପାଖରେ ୯୩ ହଜାର ପାକିସ୍ତାନୀ ସୈନିକ ଆତ୍ମସମର୍ପଣ କରିଥିଲେ। ଏହି ବିଜୟ କେବଳ ଭାରତ ପାଇଁ ନୁହେଁ, ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ ସାବିତ୍ର ହୋଇଥିଲା, କାରଣ ଏହି ଯୁଦ୍ଧର ପରିଣାମ ସ୍ୱରୂପ ବାଂଲାଦେଶ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଗଠିତ ହୋଇଥିଲା। ଏହା ଦକ୍ଷିଣ ଏସିଆର ଭୌଗୋଳିକ ଓ ରାଜନୈତିକ ମାନଚିତ୍ରକୁ ସ୍ଥାୟୀ ଭାବରେ ପରିବର୍ତ୍ତନ କରିଥିଲା। ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଭିନ୍ନ ରାଜନୈତିକ ନେତା ଏବଂ ବରିଷ୍ଠ ମନ୍ତ୍ରୀମାନେ ୧୯୭୧ ଯୁଦ୍ଧର ବୀର ସୈନିକ ଓ ସହିଦମାନଙ୍କୁ ଉଜ୍ଜ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୧୯୭୧ ଯୁଦ୍ଧରେ ସୈନିକମାନଙ୍କ ଅଦମ୍ୟ ସାହସ ଓ ବଳିଦାନ ଭାରତର ଐତିହାସିକ ବିଜୟ ଓ ବାଂଲାଦେଶର ମୁକ୍ତିକୁ ସୁନିଶ୍ଚିତ କରିଥିଲା। ସେମାନଙ୍କର ଦୃଢ଼ ସଂକଳ୍ପ ଓ ଜାତୀୟତାର ଭାବନା ପିଢ଼ି ପିଢ଼ିକୁ ପ୍ରେରଣା ଦେଇଆସୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ ଓ ନିଷ୍ଠାକୁ ସଲାମ କରି ୧୯୭୧ ମସିହାର ସାହସିକତାକୁ ସ୍ମରଣ କରିଥିଲେ। ସେ ସେନାର ସ୍ୱଦେଶୀକରଣ ମାଧ୍ୟମରେ ବଢ଼ୁଥିବା ଆତ୍ମନିର୍ଭରଶୀଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ବିଜୟ ଦିବସ ଦେଶବାସୀଙ୍କୁ ଭାରତୀୟ ସେନାର ସାହସ, ତ୍ୟାଗ ଓ ରଣନୈତିକ ପ୍ରତିଭାକୁ ସମ୍ମାନ କରିବା ସହିତ ଦେଶର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଥିବା ବୀରମାନଙ୍କୁ ଚିରସ୍ମରଣୀୟ କରି ରଖେ।

Leave a Reply

Your email address will not be published. Required fields are marked *