ନ୍ୟୁଜ ଡେକ୍ସ : ସାରା ଦେଶରେ ୧୦ଟି ଶ୍ରମିକ ସଂଗଠନଙ୍କ ଡାକରାରେ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ‘ଭାରତ ବନ୍ଦ’ ପାଳନ କରାଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଏବଂ କୃଷକମାନଙ୍କ ସମସ୍ୟାକୁ ନେଇ ନେଆଯାଇଥିବା ନୀତିଗତ ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ଆହ୍ୱାନ ଦିଆଯାଇଥିଲା। ଏହାର ପ୍ରଭାବ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ବେଶ ଦେଖିବାକୁ ମିଳିଛି।
ଭଦ୍ରକ ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଥିବାରୁ ଦୁଇ ପାର୍ଶ୍ୱରେ ଗାଡ଼ିମଟର ଲମ୍ବା ସାରି ଲାଗିଥିଲା। ଟ୍ରକ୍, ବସ୍, ଛୋଟ ବଡ଼ ଯାନବାହନ ସବୁ ଠାରେ ଅଟକି ରହିବାରୁ ଯାତ୍ରୀ ଓ ପଣ୍ୟ ପରିବହନ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ରହିଥିବାରୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସାମ୍ନା କରିଥିଲେ।ଭଦ୍ରକ ସହରର ବନ୍ତଛକ, ମହତାବ ଛକ ଠାରୁ ବାଇପାସ୍ ପର୍ଯ୍ୟନ୍ତ ଅଞ୍ଚଳରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହିଥିଲା। ଔଷଧ ଦୋକାନ ଓ ଆବଶ୍ୟକୀୟ ସେବାକୁ ଛାଡ଼ି ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ତାଳା ଲାଗିଥିବା ଦେଖିବାକୁ ମିଳିଥିଲା। ସହରର ମୁଖ୍ୟ ସଡ଼କ ଓ ବଜାର ଅଞ୍ଚଳରେ ସାଧାରଣ ଦିନ ତୁଳନାରେ ନିରବତା ଦେଖାଯାଇଥିଲା।
ଅନ୍ୟପଟେ, ଚରମ୍ପା, ଚନ୍ଦନ ବଜାର ଓ ପୁରୁଣା ବଜାର ଅଞ୍ଚଳରେ କିଛି ଦୋକାନ ଖୋଲା ରହିଥିବାରୁ ସ୍ଥାନୀୟ ଲୋକମାନେ ଆବଶ୍ୟକୀୟ ସାମଗ୍ରୀ କିଣିପାରୁଥିଲେ। ତଥାପି ବନ୍ଦର ସାମଗ୍ରିକ ପ୍ରଭାବ ଜିଲ୍ଲାରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା।ଆନ୍ଦୋଳନକାରୀମାନେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଶ୍ରମିକଙ୍କ ଅଧିକାର କମାଇଦେଉଛି ଏବଂ କୃଷକମାନଙ୍କ ସମସ୍ୟାକୁ ଅନଦେଖା କରାଯାଉଛି। ଏହି ଦାବିଗୁଡ଼ିକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଆହୁରି ତୀବ୍ର ହେବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି।

