ନ୍ୟୁଜ ଡେକ୍ସ : ଭୁବନେଶ୍ୱର ସହରର ମଧ୍ୟଭାଗରେ ଆଇନକୁ ତୁଚ୍ଛ ମନେ କରି ଭାଲେଣ୍ଟାଇନ୍ ଡେ ନାମରେ ରାତିଭର ମଦ୍ୟପାନ ଓ ଡିଜେ ନାଚଗୀତ ଚାଲିଥିବା ଘଟଣା ଗୁରୁତର ଚର୍ଚ୍ଚାରେ ରହିଛି। ଏହି ଘଟଣା ମାଡମ୍ୟୁଲେ ଓଡି୦୨ ବାରରେ ଘଟିଥିଲା, ଯାହା ଖାରବେଳନଗର ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ। ବାହାରୁ ସଟର୍ ପଡିଥିବାବେଳେ ଭିତରେ ରାତି ୨ଟା ପର୍ଯ୍ୟନ୍ତ ଛାତିଥରା ଡିଜେ ବଜାଇ ଯୁବକ-ଯୁବତୀମାନେ ମଦନିଶାରେ ମତୁଆଲା ହୋଇ ନାଚଗୀତରେ ମସଗୁଲ ଥିଲେ।
ସୂଚନା ପାଇ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଓ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପୁଲିସ ସହଯୋଗରେ ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ବାର୍ରେ ଚଢ଼ଉ କରିଥିଲେ। ସେମାନେ ବାର୍ ସମ୍ମୁଖରେ ପହଞ୍ଚିବା ସମୟରେ ବହୁ ଚାରିଚକିଆ ଓ ଦୁଇଚକିଆ ଗାଡ଼ି ପାର୍କିଂ ହୋଇଥିବା ଦେଖାଯାଇଥିଲା। ଯଦିଓ ସଟର୍ ଟାଣି ଦିଆଯାଇଥିଲା, ଭିତରୁ କାନଫଟା ଡିଜେ ଶବ୍ଦ ସ୍ପଷ୍ଟ ଶୁଣାଯାଉଥିଲା। ଏହା ପରେ ଅଧିକାରୀମାନେ ବଳପୂର୍ବକ ବାର୍ ଭିତରକୁ ପ୍ରବେଶ କରିଥିଲେ। ଭିତରକୁ ପହଞ୍ଚିବା ପରେ କିଛି ଯୁବକ, ବାର୍ ମ୍ୟାନେଜର ଅବିନାଶ ସାହୁ ଓ ବାଉନ୍ସରମାନେ ଅବକାରୀ ଅଧିକାରୀଙ୍କୁ ବାଧା ଦେଇଥିଲେ। ନିଜ ଡ୍ରିଙ୍କ୍ସ ଓ ଡିନର୍ ମଜାରେ ବାଧା ହେଉଛି ବୋଲି ଅଭିଯୋଗ କରି ସେମାନେ ପୁଲିସ ଓ ଅବକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ତଣାଉ ପରେ ଶେଷରେ ବାର୍କୁ ଖାଲି କରାଯାଇଥିଲା ଏବଂ ମ୍ୟାନେଜର ଅବିନାଶ ସାହୁକୁ ଅଟକ ରଖାଯାଇଥିଲା।
ଅବକାରୀ ବିଭାଗ ପକ୍ଷରୁ ବେଆଇନ ଭାବେ ଚାଲିଥିବା ଏହି ବାର୍କୁ ସିଲ୍ କରାଯାଇଛି ଓ ବାର୍ର ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ପଠାଯାଇଛି। ରାତି ପ୍ରାୟ ୩ଟା ବେଳେ ଚଢ଼ଉ ସରିବା ପରେ ଅବକାରୀ ଟିମ୍ ଖାରବେଳନଗର ଥାନାରେ ଅଭିଯୋଗ ଦାଖଲ କରି ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା, ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ମାମଲା ରୁଜୁ କରିଛି।ଅଭିଯୁକ୍ତ ବାର୍ ମ୍ୟାନେଜର ଅବିନାଶ ସାହୁଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ, ସହରର ମଧ୍ୟଭାଗରେ ଏଭଳି ଖୋଲାମେଲା ଆଇନ ଉଲ୍ଲଂଘନ ଘଟଣା ପୁନର୍ବାର ପୁଲିସ ଓ ଅବକାରୀ ବ୍ୟବସ୍ଥାକୁ ପ୍ରଶ୍ନର ସମ୍ମୁଖୀନ କରିଛି।

