Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାଷାଗତ ବିବିଧତାକୁ ସମ୍ମାନ ଦେଇ ଯେତେବେଳେ ଆମେ ତାହାକୁ ଜ୍ଞାନର ସେତୁ ଭାବେ ଗ୍ରହଣ କରୁ, ସେତେବେଳେ ଭାରତର ଭବିଷ୍ୟତ ଆହୁରି ଶକ୍ତିଶାଳୀ ହୁଏ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ତାମିଲନାଡୁର ରାମେଶ୍ୱରମ ଠାରେ ଆୟୋଜିତ ‘କାଶୀ ତାମିଲ ସଙ୍ଗମମ୍ ୪.୦’ର ସମାପନ ସମାରୋହରେ ଯୋଗଦେଇ ସେ ଏହି ମତ ପ୍ରକାଶ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାରୁ ଆରମ୍ଭ ହୋଇଥିବା ‘କାଶୀ ତାମିଲ ସଙ୍ଗମମ୍’ ଭାରତର ବୌଦ୍ଧିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସେଲିବ୍ରେଟ୍ କରିବା ସହ ଜାତୀୟ ସଂହତିକୁ ଅଧିକ ସୁଦୃଢ଼ କରିଛି। କାଶୀର ଗଙ୍ଗା କୂଳରୁ ଆରମ୍ଭ ହୋଇ ରାମେଶ୍ୱରମର ସମୁଦ୍ର କୂଳରେ ପହଞ୍ଚିଥିବା ଏହି କାର୍ଯ୍ୟକ୍ରମ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ନୂତନ ଶକ୍ତି ପ୍ରଦାନ କରିଛି ବୋଲି ସେ କହିଛନ୍ତି।ନିଜ ଅଭିଭାଷଣରେ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କୁ ସାମିଲ କରିବା ଓ ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ ଓ ସୁଲଭ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ଶକ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ତାମିଲ ସଭ୍ୟତା କେବଳ ଏକ ଆଞ୍ଚଳିକ ପରିଚୟ ନୁହେଁ, ବରଂ ଏହା ଭାରତର ସାଭ୍ୟତିକ ଯାତ୍ରାର ମୂଳଦୁଆ। ଚଳିତ ବର୍ଷର ବିଷୟବସ୍ତୁ ‘ତାମିଲ କର୍କଲମ୍’ ତାମିଲ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ଭାରତର ପ୍ରାଚୀନ ଜ୍ଞାନର ଦ୍ୱାର ଖୋଲିଛି ବୋଲି ସେ କହିଛନ୍ତି।କାଶୀ ତାମିଲ ସଙ୍ଗମମ୍ ଆଗାମୀ ଦିନରେ ଭାରତର ଯୁବପିଢ଼ିଙ୍କୁ ଆମର ଗୌରବମୟ ସଭ୍ୟତାର ଗର୍ବିତ ବାହକ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି। ଏହି ଅବସରରେ ସେ ତାମିଲନାଡୁ ସ୍ଥିତ ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *