ନ୍ୟୁଜ ଡେକ୍ସ : ଭିଜିଲାନ୍ସ ଅଫିସର କହି ସରକାରୀ ଅଧିକାରୀଙ୍କୁ ଠକୁଥିବା ଦୁଇ ଠକଙ୍କୁ ରାଉରକେଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା।ସୂଚନା ଅନୁସାରେ, ଏମାନେ ଜଣେ OAS ଅଫିସରଙ୍କଠାରୁ ଭିଜିଲାନ୍ସ କେସ୍ର ଧମକ ଦେଇ ପ୍ରାୟ ୪ ଲକ୍ଷ ଟଙ୍କା ମାଗିଥିଲେ।
ଅଭିଯୁକ୍ତ ଗଣେଶର ଫୋନ୍ର ଟ୍ରୁ କଲର୍ ଆଇଡିରେ ‘ଵିଜିଲାନ୍ସ ଅଫିସର’ ଦେଖାଯାଉଥିବାରୁ ସେ ସରକାରୀ ଅଧିକାରୀମାନଙ୍କୁ ସହଜରେ ବିଶ୍ୱସ୍ତ କରିପାରୁଥିଲା।ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ଯୁକ୍ତ ଟିମ ବଣେଇ ଥାନା ସୀମାଭିତରେ ବିଶେଷ ଅଭିଯାନ ଚାଲାଇ ଏହି ଦୁଇଁ ଅଭିଯୁକ୍ତଙ୍କୁ ଗିରଫ କଲା। ଠକେଇ ଏବଂ ଧମକ ଦେଇ ଟଙ୍କା ଆଦାୟ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଏମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିଦେବେ ବୋଲି ଧମକ ଦେଇ ଟଙ୍କା ଆଦାୟ କରୁଥିଲେ। ଏହି ଗ୍ୟାଙ୍ ଆଉ କେତେ ଅଧିକାରୀଙ୍କୁ ଠକିଛି ତାହା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।ପୋଲିସ ମତାମତ, “ଏହି ପ୍ରକାରର ଠକେଇରେ ଯେ କେହି ସଂପୃକ୍ତ ଅଛନ୍ତି, ସେମାନଙ୍କୁ ବେଳେବେଳେ ଚିହ୍ନଟ କରି କଡା କାର୍ଯ୍ୟନୁଷ୍ଠାନ ନିଆଯିବ।”

