ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟୁଡିଓ ଛକରେ ଶୁକ୍ରବାର ସକାଳେ ଏକ ଭୟାବହ ଅଘଟଣ ଘଟିଛି। ଚଳନଶୀଳ ଅବସ୍ଥାରେ ଥିବା ଆମ ବସ୍ଟି ହଠାତ୍ ମଝି ରାସ୍ତାରେ ଜଳିଯାଇଛି। ଅଗ୍ନିକାଣ୍ଡ ସମୟରେ ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ପୋଲିସ ଓ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ଟି କଳିଙ୍ଗ ଷ୍ଟୁଡିଓ ଛକ ନିକଟକୁ ପହଞ୍ଚିବା ସମୟରେ ହଠାତ୍ ଧୂଆଁ ବାହାରିବା ଆରମ୍ଭ କରିଥିଲା।
ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ତୁରନ୍ତ ବସ୍ରୁ ଓହ୍ଲାଇ ପଡ଼ିଥିଲେ। କିଛି ମୁହୂର୍ତ୍ତ ମଧ୍ୟରେ ବସ୍ଟି ହୁତୁହୁତୁ ହୋଇ ନିଆଁରେ ଆବୃତ୍ତ ହୋଇଯାଇଥିଲା।ଘଟଣା ବିଷୟରେ ସୂଚନା ପାଇ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଦ୍ରୁତ ଭାବେ ନିଆଁକୁ ଆୟତ୍ତ କରିଥିଲେ ଏବଂ ଆସପାସ ଅଞ୍ଚଳକୁ ସୁରକ୍ଷିତ କରାଯାଇଥିଲା। ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଯାତାୟାତ ବିଘ୍ନିତ ହୋଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସର୍ଟସର୍କିଟ ଯୋଗୁଁ ବସ୍ରେ ଅଗ୍ନିକାଣ୍ଡ ଘଟିଥିବା ସମ୍ଭାବନା ରହିଛି। ତେବେ ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।ଏହି ଅଘଟଣରେ କୌଣସି ଜାନହାନି ହୋଇନଥିବା ବେଳେ, ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳି ଖାକ ହୋଇଯାଇଛି। ଏହି ଘଟଣା ନେଇ ଆମ ବସ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

