Thu. Feb 26th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ବରରୁ ପୁରୀ ଯାତ୍ରା ଆହୁରି ଶୀଘ୍ର ଓ ସୁଗମ ହେବାକୁ ଯାଉଛି। ଏବେ ଅତି କମ୍ ସମୟ ଭିତରେ ଯାତ୍ରୀମାନେ ଭୁବନେଶ୍ବରରୁ ପୁରୀରେ ପହଞ୍ଚିପାରିବେ। ଭୁବନେଶ୍ବର–ପୁରୀ ରେଳପଥରେ ଟ୍ରେନ୍‌ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଚଳାଚଳ କରିବାକୁ ସକ୍ଷମ ହେବ।ଏହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧା ରୋଡ୍‌ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ରେଳ ଲାଇନ୍‌ରେ ଅଟୋ ସିଗନାଲିଂ କାମ ସମ୍ପୂର୍ଣ୍ଣ ହୋଇସାରିଛି।

୨୦୨୪–୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମତା ଉନ୍ନତି ସହ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍‌ ଗତି ସୁନିଶ୍ଚିତ କରିବା।ରେଳ ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ୨୦୨୬ ଜାନୁଆରୀ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବା ପରେ ଏହି ରୁଟ୍‌ରେ ଟ୍ରେନ୍‌ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚଳାଚଳ କରିପାରିବ। ସିଷ୍ଟମ୍‌ ଇଣ୍ଟିଗ୍ରେସନର ଅଂଶ ଭାବେ ଏହି ରୁଟ୍‌ରେ ବଡ଼ ଧରଣର ସିଗ୍ନାଲିଂ ପରିବର୍ତ୍ତନ କରାଯାଇଛି। ହରିପୁର, ସକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମାଳତୀପାଟପୁର ଓ ପୁରୀ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ (ଇଏଲ୍‌) ବ୍ୟବସ୍ଥା ପରିବର୍ତ୍ତନ କରାଯାଇଛି। ଏହା ସହିତ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ରୁଟ୍‌ ରିଲେ ଇଣ୍ଟରଲକିଂ (ଆରଆରଆଇ) ଓ ମୋଟାରି ଷ୍ଟେସନରେ ପ୍ୟାନେଲ୍‌ ଇଣ୍ଟରଲକିଂ (ପିଆଇ) ବ୍ୟବସ୍ଥା ଆଧୁନିକୀକରଣ ହୋଇଛି।

ଅଧିକ ଅନୁମୋଦିତ ଗତି ଯୋଗୁଁ ରେଳ ଯାତ୍ରା ଆହୁରି ସୁଦୃଢ଼ ହେବ। ଉନ୍ନତ ଗତି ନିୟନ୍ତ୍ରଣ ବ୍ୟବସ୍ଥା ଟ୍ରେନ୍‌ ସମୟାନୁବର୍ତ୍ତୀତା ବଢ଼ାଇବା ସହ ଅଧିକ ନିର୍ଭରଯୋଗ୍ୟ ସେବା ପ୍ରଦାନ କରିବ। ହଠାତ୍ ଗତି ପରିବର୍ତ୍ତନ ଓ ବେଗ ହ୍ରାସ ଯୋଗୁଁ ହେଉଥିବା ସମସ୍ୟାକୁ ମଧ୍ୟ ଏହା ଏଡ଼ାଇବ।ଏହି ପ୍ରକଳ୍ପ ସଫଳ ହେଲେ ଯାତ୍ରୀମାନେ ଅଧିକ ସୁଗମ, ସୁରକ୍ଷିତ ଓ ଆରାମଦାୟକ ଯାତ୍ରାର ଅନୁଭୂତି ପାଇବେ। ବିଶେଷକରି ବୟସ୍କ ଯାତ୍ରୀ, ପିଲାମାନେ ଏବଂ ଦୂରଗାମୀ ଯାତ୍ରୀମାନେ ଏହାର ଅଧିକ ଲାଭ ନେଇପାରିବେ।

Leave a Reply

Your email address will not be published. Required fields are marked *