Thu. Oct 23rd, 2025

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମ୍‌ରେ ଆଜି ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ ଉତ୍ସବମୟ ଭାବେ ପାଳିତ ହୋଇଗଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଯ୍ୟ ସମାଜର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ।ସେ କହିଥିଲେ, “ଯଦି ଆମେ ଗତ ୧୫୦ ବର୍ଷର ଇତିହାସକୁ ଦେଖିବା, ତେବେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅପୂର୍ବ।

ଏହା କେବଳ ଧାର୍ମିକ ଆନ୍ଦୋଳନ ନୁହେଁ, ବରଂ ଏକ ନୈତିକ, ଶିକ୍ଷାଗତ ଓ ସାମାଜିକ ବିପ୍ଲବ।”ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଗଠିତ ଆର୍ଯ୍ୟ ସମାଜ ଭାରତର ସାମାଜିକ ଜୀବନରେ ଆଲୋକ ଆଣିଥିଲା। ସେ ଅନ୍ଧବିଶ୍ୱାସ, ଜାତିପ୍ରଥା ଓ ସାମାଜିକ କୁସଂସ୍କାରଙ୍କୁ ଚ୍ୟାଲେଞ୍ଜ କରି ସମାଜକୁ ନୂଆ ଦିଗ ଦେଇଥିଲେ।ସ୍ୱାମୀ ଦୟାନନ୍ଦଙ୍କ ନେତୃତ୍ୱରେ ମହିଳା ଶିକ୍ଷା, ବିଧବା ପୁନଃବିବାହ, ଓ ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି ହୋଇଥିଲା। “ଆମେ ଆଜି ମହିଳା ସଶକ୍ତିକରଣ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ଯେ କାର୍ଯ୍ୟ କରୁଛୁ, ତାହା ସ୍ୱାମୀ ଦୟାନନ୍ଦଙ୍କ ଦର୍ଶନର ପରିଣାମ,” ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଯୁବ ସମାଜଙ୍କୁ ସେ ଆହ୍ୱାନ ଜଣାଇଥିଲେ ଯେ, “ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଥିଲେ ଯୁବ ସଶକ୍ତିକରଣର ପ୍ରଥମ ପ୍ରବକ୍ତା। ଯୁବମାନେ ନିଜ ଶକ୍ତିରେ ବିଶ୍ୱାସ ରଖି ନିଜ ଅନ୍ତର୍ନିହିତ ବିବେକକୁ ବିକଶିତ କରି ଦେଶ ଓ ସମାଜ ଗଠନରେ ଅଗ୍ରଣୀ ଭୂମିକା ନେବା ଉଚିତ।”ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ଏକ ସ୍ମାରକ ସ୍ମରଣିକା ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଆର୍ଯ୍ୟ ସମାଜର ବିଭିନ୍ନ ଅଞ୍ଚଳର ସଦସ୍ୟମାନେ, ଶିକ୍ଷାବିଦ୍, ଓ ଯୁବ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *