Mon. Feb 23rd, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରବାସୀଙ୍କ ପାଇଁ ସୁବିଧା ବଢ଼ାଇବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରରେ ଆଉ ଦୁଇଟି ନୂଆ ତହସିଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦୁଇଟି ତହସିଲ୍ ରସୁଲଗଡ଼ ଓ ଖଣ୍ଡଗିରି ଅଞ୍ଚଳରେ ସ୍ଥାପିତ ହେବ। ଏନେଇ ପ୍ରାଥମିକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।ସହରରେ ଦିନକୁ ଦିନ ଜମି କିଣାବିକା, ମାଲିକାନା ହସ୍ତାନ୍ତର, ପଟ୍ଟା ପ୍ରସ୍ତୁତି ସହ ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମ୍ବନ୍ଧୀୟ କାର୍ଯ୍ୟର ଚାପ ବଢ଼ିବାରୁ ଲୋକମାନେ ବହୁ ଅସୁବିଧା ଭୋଗୁଥିଲେ।

ବର୍ତ୍ତମାନ ସମସ୍ତ କାମ ପାଇଁ କଳ୍ପନା ଅଞ୍ଚଳରେ ଥିବା ତହସିଲ୍ କାର୍ଯ୍ୟାଳୟକୁ ଯିବାକୁ ପଡୁଥିବାରୁ ଭିଡ଼ ଓ ବିଳମ୍ବ ହେଉଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ନୂଆ ତହସିଲ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯୋଜନା ଅନୁସାରେ, ଭୁବନେଶ୍ୱର ତହସିଲ୍ ଅଧୀନରେ ସୁନ୍ଦରପଦା, ଭୁବନେଶ୍ୱର, ଇତିପୁର, ଧଉଳି ଓ ଶିଶୁପାଳ ସହିତ ୯ଟି ଆର୍‌ଆଇ ସର୍କଲ ରହିବ।ରସୁଲଗଡ଼ ନୂଆ ତହସିଲ୍ ଅନ୍ତର୍ଗତ ଗାଡ଼କଣ, ବାସୁଆଘାଇ, ଲକ୍ଷ୍ମୀସାଗର, ଗଡ଼ଗୋବିନ୍ଦପ୍ରସାଦ, ପାଣ୍ଡରା ଆଦିକୁ ମିଶାଇ ୯ଟି ଆର୍‌ଆଇ ସର୍କଲ ରହିବାକୁ ପ୍ରସ୍ତାବ ରହିଛି।

ଖଣ୍ଡଗିରି ତହସିଲ୍ ଅଧୀନରେ ପାଇକରାପୁର, ପାତ୍ରପଡ଼ା, ଜାଗମରା, ତମାଣ୍ଡୋ, ଘାଟିକିଆ ସମେତ ୧୦ଟି ଆର୍‌ଆଇ ସର୍କଲ ରହିବ।ବିଜ୍ଞପ୍ତି ପ୍ରକାଶ ପରେ ପ୍ରଶାସନିକ ସ୍ତରରେ ତତ୍ପରତା ବଢ଼ିଛି। ସରକାରୀ ଅନୁମୋଦନ ମିଳିଲା ପରେ ନୂଆ ତହସିଲ୍ ସୀମା ଓ କାର୍ଯ୍ୟକ୍ଷେତ୍ର ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।ନୂଆ ତହସିଲ୍ ଖୋଲିଲେ ଲୋକମାନଙ୍କୁ ଜମି ସମ୍ବନ୍ଧୀୟ କାର୍ଯ୍ୟ ଓ ପ୍ରମାଣପତ୍ର ପାଇଁ ଅଧିକ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *