ନ୍ୟୁଜ ଡେକ୍ସ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମହାକାଶ ମିଶନର ଅଂଶ ଭାବରେ ଏକ ମାନବହୀନ ମହାକାଶଯାନ ଉତ୍କ୍ଷେପଣ କରିବ। ଏହି ମହାକାଶ ଯାନରେ ରହିବ ‘ବ୍ୟୋମମିତ୍ରା’ ନାମକ ଏକ ମାନବରୂପୀ ମହିଳା ରୋବୋଟ୍, ଯାହା ମହାକାଶର କଠିନ ପରିସ୍ଥିତିରେ ପରୀକ୍ଷା ଓ ତଥ୍ୟ ସଂଗ୍ରହ କାର୍ଯ୍ୟ କରିବ।ସବୁଠାରୁ ଗର୍ବର କଥା ହେଉଛି — ଏହି ବ୍ୟୋମମିତ୍ରା ରୋବୋଟ୍ର ମୁଣ୍ଡ, ହାତ ଓ ଶରୀରର ଅଧା ଅଂଶ ନିର୍ମାଣ କରାଯାଇଛି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉପକରଣ ରୁମ୍ ଏବଂ ତାଲିମ କେନ୍ଦ୍ର (CTTC) ରେ।
ଓଡିଶା ମାଟିରେ ନିର୍ମିତ ଏହି ରୋବୋଟ୍ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଏକ ଐତିହାସିକ ଗୌରବର କ୍ଷଣ।ISRO ଏପର୍ଯ୍ୟନ୍ତ ମଣିଷକୁ ମହାକାଶକୁ ପଠାଇ ନାହିଁ। ଗଗନଯାନ ମିଶନ ମାଧ୍ୟମରେ ସଂସ୍ଥା ଏବେ ଏହାକୁ ସାକାର କରିବାକୁ ପ୍ରସ୍ତୁତ। ଏହି ପ୍ରକଳ୍ପରେ ତିନୋଟି ମାନବହୀନ ଉଡ଼ାଣ ପରୀକ୍ଷା ହେବ, ଯାହାର ପ୍ରଥମଟିରେ ଉଡ଼ିବ ବ୍ୟୋମମିତ୍ରା। ପରୀକ୍ଷା ସଫଳ ହେବା ପରେ, ISRO ଚାରି ଜଣ ମହାକାଶଚାରୀଙ୍କୁ ନେଇ ମାନବୀୟ ମିଶନ ଆରମ୍ଭ କରିବ।CTTC ଭୁବନେଶ୍ୱର ଏହି ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦୁଇ ବର୍ଷ ଧରି ISROର ମାର୍ଗଦର୍ଶନରେ ଏହି ରୋବୋଟ୍କୁ ତିଆରି କରାଯାଇଛି।
ବ୍ୟୋମମିତ୍ରା କଥା କହିପାରିବ, ମୁଖର ଭାବଭଙ୍ଗୀ ଦେଖାଇପାରିବ ଓ ହାତ ଚଳାଇ କାମ କରିପାରିବ — ଠିକ୍ ମଣିଷ ଭଳି। କିନ୍ତୁ ଏହାର ଗୋଡ଼ ନାହିଁ।ମହାକାଶରେ ବିକିରଣ, ଉଚ୍ଚ ତାପମାତ୍ରା ଓ ଚାପ ପରିବର୍ତ୍ତନ ଭଳି କଠିନ ପରିସ୍ଥିତିକୁ ସହିପାରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ମହାକାଶଯାନର ଅଭ୍ୟନ୍ତରୀଣ ପାରାମିଟର ଯଥା ଚାପ, ଅମ୍ଳଜାନ, ଆର୍ଦ୍ରତା ଇତ୍ୟାଦି ଉପରେ ନଜର ରଖି ସେ ତଥ୍ୟ ପୃଥିବୀକୁ ପଠାଇବ।ବ୍ୟୋମମିତ୍ରାର ଉଡ଼ାଣ ଗଗନଯାନ ମିଶନର ପ୍ରଥମ ପଦକ୍ଷେପ ହୋଇ ଭାରତର ମହାକାଶ ଅନୁସନ୍ଧାନ ଯାତ୍ରାରେ ନୂଆ ଅଧ୍ୟାୟ ଆରମ୍ଭ କରିବ।
