ନ୍ୟୁଜ ଡେକ୍ସ : ଭୁବନେଶ୍ୱର ପରିଦର୍ଶନରେ ଆସି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଠ୍ୟକ୍ରମ ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକରେ ଯୋଗଦେଇଛନ୍ତି। ଜାତୀୟ ଶିକ୍ଷା ନୀତି–୨୦୨୦ ଆଧାରରେ ଓଡ଼ିଶାରେ ହେଉଥିବା ଶିକ୍ଷା ସଂସ୍କାର ନେଇ ସେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।
ବୈଠକରେ ସୂଚନା ଦିଆଯାଇଛି ଯେ, ୨୦୨୬–୨୭ ଶିକ୍ଷା ବର୍ଷରୁ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୫୫ଟି ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପାଠ୍ୟକ୍ରମ ବିକାଶ, ଶିକ୍ଷକ ଓ ମାଷ୍ଟର ରିସୋର୍ସ ପର୍ସନଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କରେ ମଧ୍ୟ ଜିଲ୍ଲାମାନଙ୍କଠାରୁ ଅବସ୍ଥା ଜାଣିଥିଲେ। ସେଥିସହ ନୂଆ ପାଠ୍ୟପୁସ୍ତକକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସକାରାତ୍ମକ ଆଗ୍ରହ ସୃଷ୍ଟି କରିବାକୁ ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଚାରିଟି ମୁଖ୍ୟ ପରାମର୍ଶ ରଖିଛନ୍ତି।
ନିପୁଣ ଭାରତ ଅଭିଯାନ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ଶକ୍ତ କରିବା, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦେବା, ପିଏମ–ପୋଷଣ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେବା ଏବଂ ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ ବର୍ଷକୁ ୧୦ ଦିନ ‘ବସ୍ତାନୀ ବିହୀନ ବିଦ୍ୟାଳୟ’ ପ୍ରଚଳନକୁ ବ୍ୟାପକ କରିବା ଉପରେ ସେ ଜୋର ଦେଇଛନ୍ତି।ଏହି ଅବସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଜାତୀୟ ଶିକ୍ଷା ନୀତି–୨୦୨୦ ଅନୁଯାୟୀ ୫୫ଟି ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଓ ସନ୍ଦର୍ଭୀକରଣ କରିଛି। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା, ଏବଂ ଧନ୍ଦାମୂଳକ ଶିକ୍ଷାରେ ନୂତନ ପାଠ୍ୟପୁସ୍ତକ ପ୍ରଚଳନ ମଧ୍ୟ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିକୁ ସଫଳ ଭାବେ ପ୍ରଚଳନ କରିବାରେ ଶିକ୍ଷକ ଓ ମାଷ୍ଟର ରିସୋର୍ସ ପର୍ସନଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ଓ ଶାସନ ସଚିବ ସ୍ୱାଗତ ଭାଷଣ ଦେଇଥିବା ବେଳେ, TE&SCERT ନିର୍ଦ୍ଦେଶକ ଧନ୍ୟବାଦ ଜ୍ଞାପନ କରିଥିଲେ।

