ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ ଅଭିଯୋଗକୁ ନେଇ ଚଞ୍ଚଳତା ସୃଷ୍ଟି ହୋଇଛି। ୱାଟର ଆଣ୍ଡ ପାୱାର କନସଲଟାନସି ସର୍ଭିସ ବା WAPCOSର ଭୁବନେଶ୍ୱର କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ ଆସିବା ପରେ Central Bureau of Investigation (ସିବିଆଇ) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଲକ୍ଷ୍ନୌ ସିବିଆଇ ଟିମ୍ WAPCOS ଭୁବନେଶ୍ୱରର ପ୍ରକଳ୍ପ ମ୍ୟାନେଜର ପଙ୍କଜ ଦୁବେଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ କେସ୍ ରୁଜୁ କରିଛି। ପଙ୍କଜଙ୍କ ସହ ଭୁବନେଶ୍ୱର କାର୍ଯ୍ୟାଳୟର ଭବଦ୍ୟୁତି ଭୁତିଆ ଓ ଅଭିଷେକ ଠାକୁରଙ୍କ ନାଁ ମଧ୍ୟ ମାମଲାରେ ସାମିଲ ଅଛି। ଏହା ସହିତ ଉତ୍ତରପ୍ରଦେଶର ଠିକାଦାର ବବୁଲ ସିଂ ଯାଦବ, ଦଲାଲ ଗୋପାଳ ମିଶ୍ର ଓ ଅନ୍ୟ ୩ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ସିବିଆଇ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପଙ୍କଜ ଦୁବେଙ୍କ ଇସାରାରେ ଗୋପାଳ ମିଶ୍ର ଉତ୍ତରପ୍ରଦେଶରୁ ଠିକାଦାରମାନଙ୍କୁ ଆଣି ଭୁବନେଶ୍ୱରର ବିଭିନ୍ନ ପ୍ରକଳ୍ପରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରୁଥିଲେ।
ଟେଣ୍ଡର ପ୍ରକାଶ ପାଇବା ପରେ ସମସ୍ତ ଦରକାରୀ କାଗଜପତ୍ର ପଙ୍କଜ ଓ ଗୋପାଳଙ୍କ ମାଧ୍ୟମରେ ଚୟନିତ ଠିକାଦାରଙ୍କ ପକ୍ଷରେ ପ୍ରସ୍ତୁତ କରାଯାଉଥିଲା ବୋଲି ଅଭିଯୋଗ ରହିଛି।ଅଭିଯୋଗ ଅନୁଯାୟୀ, ଟେଣ୍ଡର ମୂଲ୍ୟର ୪ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ରାଶି ପଙ୍କଜ ଓ ଦଲାଲ ଗୋପାଳ ନେଉଥିଲେ। ବବୁଲ ସିଂ ଯାଦବ ସହ ଅନ୍ୟମାନେ ମଧ୍ୟ ଏହି ଟେଣ୍ଡର ଫିକ୍ସିଂ ଚକ୍ରରେ ସାମିଲ ଥିବା ପ୍ରମାଣ ସିବିଆଇ ପାଇଥିବା ସୂଚନା ମିଳିଛି। ଘଟଣା ପ୍ରକାଶ ପାଇବା ପରେ ସିବିଆଇ ଭୁବନେଶ୍ୱରର WAPCOS କାର୍ଯ୍ୟାଳୟ, ରାୟଗଡା ଓ ଲକ୍ଷ୍ନୌ ସମେତ ମୋଟ ୬ଟି ସ୍ଥାନରେ ଏକାଧିକ ଚଢ଼ାଉ କରିଛି। ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ସୂଚନା ମିଳିଛି।

