ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବଡ଼ ଧରଣର ମାଦକ ଦ୍ରବ୍ୟ ଜବତ ହୋଇଛି। କଷ୍ଟମସ୍ ଏବଂ ଡିଆରଆଇ (ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ) ଅଧିକାରୀମାନେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଏକ ବିମାନର ଜଣେ ଯାତ୍ରୀଙ୍କ ଠାରୁ ବ୍ୟୟବହୁଳ ହାଇଡ୍ରୋପୋନିକ ଗଞ୍ଜେଇ (ଓ୍ବିଡ) ଜବତ କରିଛନ୍ତି।
ସକାଳୁ ସକାଳୁ ଯାତ୍ରୀଙ୍କ ଟ୍ରାଭେଲ ବ୍ୟାଗ ଯାଞ୍ଚ ସମୟରେ କପଡ଼ା ଭିତରେ ଗୁଡ଼ାଇ ଲୁଚାଇ ରଖାଯାଇଥିବା ଗଞ୍ଜେଇ ଠାବ ହୋଇଥିଲା। ମୋଟ ୪ କେଜି ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି।
ଏହି ଘଟଣାରେ ଜଣେ ବିମାନ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ଅଟକ ଥିବା ଯାତ୍ରୀଙ୍କ ଘର ଗୁଜୁରାଟରେ ଥିବା ବୋଲି ସୂଚନା ମିଳିଛି। ଏନେଇ କଷ୍ଟମସ୍ ଓ ଡିଆରଆଇ ପକ୍ଷରୁ ଅଧିକ ପଚରାଉଚରା ଜାରି ରହିଛି ଏବଂ ମାଦକ ଚକ୍ର ସହ ଯୋଗାଯୋଗ ଥିବା ନେଇ ତଦନ୍ତ ଚାଲିଛି।

