ନ୍ୟୁଜ ଡେକ୍ସ: ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସହରରେ ଏକାଧିକ ସଡ଼କ, ଫ୍ଲାଏଓଭର, ରେଳ ଓଭରବ୍ରିଜ୍, ରିଙ୍ଗ୍ରୋଡ୍ ନିର୍ମାଣ ଯୋଜନା ହୋଇଛି। ଗ୍ରେଟର୍ ଭୁବନେଶ୍ବର ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ରାଜଧାନୀର ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ଏହି ଜନସଂଖ୍ୟା ତୁଳନାରେ ରାଜଧାନୀ ଓ ଏହାର ଉପକଣ୍ଠରେ ଥିବା ରାସ୍ତା ପର୍ଯ୍ୟାପ୍ତ ହେଉନି ।
ଫଳରେ ଟ୍ରାଫିକ୍ ଭିଡ଼ ହେଉଛି । ଜାତୀୟ ରାଜପଥ ବି ଜାମ ହୋଇଯାଉଛି । ବର୍ଦ୍ଧିତ ଜନସଂଖ୍ୟାକୁ ଦେଖି ସହର ପାଇଁ ରିଙ୍ଗରୋଡ୍, ଏକାଧିକ ନୂଆ ରାସ୍ତା, ଫ୍ଲାଏଓଭର, ରେଳ ଓଭରବ୍ରିଜ୍ ତିଆରି ପାଇଁ ପୂର୍ତ୍ତ ବିଭାଗ ଓ ବିଡିଏ ଯୋଜନା କରିଛନ୍ତି । ସହରର ଟ୍ରାଫିକ୍ ଭିଡ଼ କମାଇବାକୁ ଏକ ମେଗା ପ୍ଲାନ୍ ପ୍ରସ୍ତୁତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାମ୍ନାରେ ପ୍ରସ୍ତାବିତ ଯୋଜନା ଓ ପରିକଳ୍ପନାକୁ ନେଇ ବିସ୍ତୃତ ଉପସ୍ଥାପନା କରାଯାଇଛି । ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପ୍ରସ୍ତାବିତ ଯୋଜନା ଅନୁସାରେ, ଭୁବନେଶ୍ୱରରେ ଟ୍ରାଫିକ ଭିଡ଼ କମାଇବାକୁ ନୂଆ ରୋଡ୍ ନେଟୱର୍କ ବିକାଶ କରାଯିବ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଅଧିକାରୀମାନେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଉପସ୍ଥାପନା କରିଥିଲେ।
ଜୟଦେବବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗ୍ରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତୀକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍ଷ୍ଟିଚ୍ୟୁଟ ଅଫ୍ ମାଥମେଟିକ୍ସଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ୍-ରବି ଟକିଜ୍ ନୂତନ ଫ୍ଲାଏଓଭର, ଶିଶୁଭବନ-ମାଉସୀ ମା ଛକ ମଧ୍ୟରେ ଆଉ ଏକ ଆରଓବି, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି ପର୍ଯ୍ୟନ୍ତ ରିଙ୍ଗ ରୋଡ୍ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ଭୁବନେଶ୍ବର-କଟକ-ପୁରୀ ଅର୍ଥନୈତିକ ଜୋନ୍ ଗଠନ ଏବଂ ଗ୍ରେଟର୍ ଭୁବନେଶ୍ବର ଗଠନ ସମ୍ପର୍କିତ ବିସ୍ତୃତ ତଥ୍ୟ ରଖିଥିଲେ।