ନ୍ୟୁଜ ଡେସ୍କ: ପୁଣି ଆଉ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି । ପରସ୍ପର ମଧ୍ୟରେ ଧକ୍କା ଫଳରେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଦୁଇଟି ବଗି ସଂପୂର୍ଣ୍ଣ ଜଳିଯାଇଛି ।
ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଦୁଇଟି ଯାତ୍ରିବାହୀ ବଗି ସଂପୂର୍ଣ୍ଣ ଜଳି ଯାଇଛି। ଏକ୍ସପ୍ରେସ ଟ୍ରେନର ପାର୍ସଲ ଭ୍ୟାନ ମଧ୍ୟ ଜଳି ଯାଇଛି। ସେହିପରି ୧୨ଟି ବଗି ଲାଇନଚ୍ୟୁତଲ ହୋଇଛି। ମାଲବାହୀ ଟ୍ରେନ ଟ୍ରାକରେ ଛିଡ଼ା ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଏହାକୁ ଧକ୍କା ଦେଇଛି। କ୍ଷୟକ୍ଷତି ସମ୍ପର୍କରେ ଏଯାଏ ଜଣାପଡ଼ିନାହିଁ। କେବଳ ୧୦ ଜଣ ଲୋକଙ୍କୁ ଟ୍ରେନରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ୮.୫୦ରେ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ଲୋକ ମିଳିତ ଭାବେ କ୍ଷତିଗ୍ରସ୍ତ ବଗିରୁ ଲୋକଙ୍କୁ ବାହାର କରିବା କାମରେ ଲାଗିପଡ଼ିଛନ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ, କବରପେଟ୍ଟାଇ ଷ୍ଟେସନରୁ ଯାତ୍ରୀବାହୀ ଟ୍ରେନଟି ବାହାରିଥିବା ବେଳେ କିଛି ସମୟ ପରେ ଟ୍ରାକରେ ସମସ୍ୟର ସମ୍ମୁଖୀନ ହୋଇଥିଲା । ଫଳରେ ଏହା ଲୁପ ଲାଇନରେ ପଶିଯାଇଥିଲା । ସେଠାରେ ପୂର୍ବରୁ ଗୋଟିଏ ମାଲବାହୀ ଟ୍ରେନ୍ ଛିଡା ହୋଇଥିବା ବେଳେ ଏହାକୁ ଏକ୍ସପ୍ରେସ୍ ଟ୍ରେନ୍ ଜୋର ଧକ୍କା ହୋଇଥିଲା । ଫଳରେ ଏହାର ୨ରୁ ୩ଟି ବଗି ଜଳିଯାଇଛି ।