ନ୍ୟୁଜ ଡେକ୍ସ : ଭୁବନେଶ୍ୱରସ୍ଥ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପୁନର୍ବାର ବନ୍ଦ ରହିଛି। ନବାଙ୍କ ବେଢ଼ା ଅନ୍ତର୍ଗତ କ୍ଷୀର ଆଉଟା ସେବା ଅଧିକାରକୁ ନେଇ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦ ଏପର୍ଯ୍ୟନ୍ତ ସମାଧାନ ନହେବାରୁ ମନ୍ଦିରର ସମସ୍ତ ନୀତିକାନ୍ତି ଅଚଳ ହୋଇପଡ଼ିଛି।
ମଙ୍ଗଳବାର ସନ୍ଧ୍ୟା ଧୂପ ପରେ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଥିବା ବେଳେ, ସେଠାରୁ ଆଜି ପବିତ୍ର ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ରହିଛନ୍ତି। ଆଜି ମକର ସଂକ୍ରାନ୍ତି ଅବସରରେ ମହାଦେବଙ୍କ ପାଖରେ ନବାନ୍ନ ଲାଗି ହେବାର ପରମ୍ପରା ଥିଲେ ମଧ୍ୟ, ବିବାଦ ହେତୁ ସେହି ପବିତ୍ର ନୀତି ସମ୍ପାଦିତ ହୋଇପାରିନାହିଁ।ସୂଚନା ଅନୁଯାୟୀ, ନବାଙ୍କ ବେଢ଼ା ସମୟରେ କ୍ଷୀର ଆଉଟା ସେବା କେଉଁ ନିଯୋଗ କରିବେ, ସେଥିପାଇଁ ଦୁଇ ନିଯୋଗ ମଧ୍ୟରେ ବର୍ଷକାଠି ଧରି ବିବାଦ ଚାଲିଛି। ଏହି ବିବାଦକୁ ନେଇ ପୂର୍ବରୁ ବଡୁ ନିଯୋଗ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ, ଆଦାଲତ ଦେବୋତ୍ତର ବିଭାଗକୁ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତଥାପି ଦୀର୍ଘ ସମୟ ହେଲା ସମାଧାନ ନ ହୋଇଥିବାରୁ ମନ୍ଦିର ନୀତି ପୁନର୍ବାର ବିଘ୍ନିତ ହୋଇଛି। ସେବାୟତମାନେ ସପ୍ଷ୍ଟ କରିଛନ୍ତି ଯେ, ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବ। ଏହି ଘଟଣାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ମହାପ୍ରଭୁଙ୍କ ଉପବାସ ଭକ୍ତଙ୍କ ଧାର୍ମିକ ଆସ୍ଥାକୁ ଆଘାତ ପହଞ୍ଚାଉଛି ବୋଲି ଅନେକ ଶ୍ରଦ୍ଧାଳୁ ମତ ପ୍ରକାଶ କରିଛନ୍ତି।ସେହିପରି, କିଛି ସେବାୟତ ଓ ଶ୍ରଦ୍ଧାଳୁ ମନ୍ଦିର ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ପ୍ରଶାସନର ଖାମଖିଆଲି ମନୋଭାବ ଓ ନିଷ୍କ୍ରିୟତା କାରଣରୁ ମହାପ୍ରଭୁଙ୍କ ନୀତି ପୁନଃପୁନଃ ବନ୍ଦ ହେଉଛି, ଯାହା କେବେ ବି ଉଚିତ ନୁହେଁ। ଏଣୁ ଶୀଘ୍ର ସମାଧାନ କରି ମହାପ୍ରଭୁଙ୍କ ନୀତି ସାଧାରଣ ହେବାକୁ ଭକ୍ତମାନେ ଦାବି କରିଛନ୍ତି।

