Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ପ୍ରଥମେ ଭିତର ଓ ପରେ ହେବ ବାହାର ଭଣ୍ଡାର ମରାମତି କାମ କରାଯିବ । ପ୍ରଥମେ ଭାରା ବନ୍ଧା ହୋଇ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ । ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଦୁଆର ଚାବି ଖୋଲାଯିବ ।

ଏଏସ୍‌ଆଇ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ତଦାରଖ କମିଟି କର୍ମକର୍ତ୍ତା ଭିତରେ ପ୍ରବେଶ କରିବେ। ଏଏସ୍ଆଇର ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଯାଞ୍ଚ, ମରାମତି ଓ ସଂରକ୍ଷଣ କାମ କରାଯିବ । ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି, ମୋଟ ୫୫ ଜଣ ଅଧିକାରୀ, କର୍ମଚାରୀ, କୁଶଳୀ ଓ ଅଣକୁଶଳୀ ଶ୍ରମିକ ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି କାମରେ ନିୟୋଜିତ ହେବେ । ସମସ୍ତଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦେବାକୁ ଶ୍ରୀମନ୍ଦିରକୁ ତାଲିକା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣେ ନୋଡାଲ ଅଫିସର ଉପସ୍ଥିତ ରହି ମରାମତି ବେଳେ ଅନୁମତିପ୍ରାପ୍ତ ଏଏସ୍ଆଇର ଅଧିକାରୀ, କର୍ମଚାରୀ ଓ ଶ୍ରମିକମାନଙ୍କୁ ରତ୍ନଭଣ୍ଡାର ଭିତରକୁ ଛାଡ଼ିବେ । ମୁକ୍ତି ମଣ୍ଡପ ଦେଇ ବେହେରଣ ଦ୍ୱାର ବାଟେ କର୍ମଚାରୀ ଓ ଶ୍ରମିକମାନେ ଆବଶ୍ୟକ ଜିନିଷ, ଯନ୍ତ୍ରପାତି, ପଥର ପ୍ରଭୃତି ନେଇ ରତ୍ନଭଣ୍ଡାର ଭିତରକୁ ଯିବେ ।

ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ । ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । ମିଳିଥିବା ସୂଚନା ଅନୁସାରେ ଏହି ସମୟରେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ସେଥିପାଇଁ ଜଗମୋହନରେ ସ୍ବତନ୍ତ୍ର ଭାବେ ବ୍ୟାରିକେଡ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ ନୀତିକାନ୍ତି ଥିବା ଦିନଗୁଡ଼ିକରେ ମରାମତି କାର୍ଯ୍ୟ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *