ନ୍ୟୁଜ ଡେକ୍ସ: ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ ନୀଳକଣ୍ଠ। ଭୁବନେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ୫୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।
ସେମାନଙ୍କ ମଧ୍ୟରୁ ୨୫ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛନ୍ତି। ଶିଳ୍ପାଞ୍ଚଳ ଥାନା ଆଇଆଇସି ବାସୁଦେବ ରଣସିଂ ଓ ସହକାରୀ ମୋଟର ଯାନ ନିରୀକ୍ଷକ ଧର୍ମେନ୍ଦ୍ର ଦେହୁରୀ ଟିମ୍ ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାମାନ୍ୟ ଆହତ ହୋଇଥିବା ୫ ରୁ ୭ ଜଣ ଯାତ୍ରୀଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ପହଞ୍ଚାଇଥିଲେ।
ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବସ୍ର ଗୋଟିଏ ଚକା ବାହାରି ଯାଇଥିବା ବି ଦେଖାଯାଇଛି । ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ,ଏହି ଦୁର୍ଘଟଣା କିପରି ହେଲା ସେନେଇ ତଦନ୍ତ ଜାରି ରଖିଛି ।
