ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ବଢୁଥିବା ସାମରିକ ଉତ୍ତେଜନା ମଧ୍ୟରେ ସେଠାରେ ଅବସ୍ଥାନ କରୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ପଶ୍ଚିମ ଏସିଆ ଓ ଉପସାଗରୀୟ ଅଞ୍ଚଳର ବର୍ତ୍ତମାନ ପରିସ୍ଥିତିକୁ ମଧ୍ୟନଜର କରି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୂଚନା ଦେଇ କହିଛନ୍ତି ଯେ, ଏହି ନିୟନ୍ତ୍ରଣ କକ୍ଷ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟରତ ରହିବ। ମଧ୍ୟପ୍ରାଚ୍ୟରେ ରହୁଥିବା ଭାରତୀୟମାନେ କିମ୍ବା ତାଙ୍କ ପରିବାରବର୍ଗ ଯଦି କୌଣସି ସମସ୍ୟାରେ ପଡ଼ନ୍ତି, ତେବେ ଏହି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରି ସହାୟତା ପାଇପାରିବେ। ସରକାର ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଗତ ୨୮ ଫେବୃଆରୀରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ତୀବ୍ର ରୂପ ଧାରଣ କରିଛି। ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଏକାଧିକ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣକୁ ଉଭୟ ଦେଶ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସାମରିକ ଅଭିଯାନ ଭାବେ ବର୍ଣ୍ଣନା କରାଯାଇଛି।
ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ, ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ କରାଯାଇଛି। ଏହା ପରେ ଅଞ୍ଚଳରେ ଶତ୍ରୁତା ଆହୁରି ତୀବ୍ର ହୋଇଯାଇଛି।ଏହାର ପ୍ରତିକ୍ରିୟାସ୍ୱରୂପ ଇରାନ ପକ୍ଷରୁ ଇସ୍ରାଏଲୀ ସମ୍ପତ୍ତି, ଆମେରିକୀୟ ସାମରିକ ଘାଟି ଏବଂ ଉପସାଗରୀୟ ଅଞ୍ଚଳର ରଣନୈତିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ପ୍ରତିଆକ୍ରମଣ କରାଯାଇଥିବା ଖବର ମିଳିଛି। ଉଭୟ ପକ୍ଷର ଆକ୍ରମଣ ଓ ପ୍ରତିଆକ୍ରମଣ ଫଳରେ ସମଗ୍ର ଅଞ୍ଚଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।ଏହି ପରିସ୍ଥିତିରେ ଭାରତ ସରକାର ପକ୍ଷରୁ ସେଠାରେ ଅବସ୍ଥିତ ଭାରତୀୟମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମ୍ୟ ଦିଆଯାଇଛି ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।

