ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୩୧ତମ ଏପିସୋଡ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସାଧାରଣତଃ ଜାତୀୟ ପ୍ରସଙ୍ଗ, ସାମାଜିକ ପଦକ୍ଷେପ ଓ ପ୍ରେରଣାଦାୟକ କାହାଣୀଗୁଡ଼ିକୁ ଆଗକୁ ଆଣିଥାନ୍ତି।ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କ ଅଭିନବ କୃଷି ପ୍ରଣାଳୀକୁ ବିଶେଷ ଭାବେ ପ୍ରଶଂସା କରିଥିଲେ।
ସେ କହିଥିଲେ ଯେ, ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ସମନ୍ୱିତ କୃଷି ମଡେଲ ଅପନାଇ ଚାଷକୁ ଏକ ସ୍ଥାୟୀ ଓ ଲାଭଦାୟକ ଉଦ୍ୟମରେ ପରିଣତ କରିଛନ୍ତି।ହିରୋଦ ଧାନ, କଦଳୀ ଓ ମାଛ ଚାଷ ସହିତ ଫଳ, ପନିପରିବା ଓ ଫୁଲ ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି। ତାଙ୍କର ଚାଷ ପ୍ରଣାଳୀ ଦେଖିବା ପାଇଁ ଅନେକ ଲୋକ ତାଙ୍କ ଖେତକୁ ଆସୁଛନ୍ତି। ପାରମ୍ପରିକ କୃଷିକୁ ଆଧୁନିକ ଧାରା ସହ ଯୋଡ଼ି ସେ ଏକ ସଫଳ ମଡେଲ ସୃଷ୍ଟି କରିପାରିଛନ୍ତି।
ଯୁବ ଚାଷୀ ହିରୋଦ ପଟେଲ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ରତନପୁର ଗ୍ରାମର ବାସିନ୍ଦା। ଆଇଟିଆଇ ପାଠପଢ଼ା ପରେ ସେ ଚାଷକୁ ନିଜ ପେଶା ଭାବେ ଗ୍ରହଣ କରିଥିଲେ। ୮ ଏକର ଜମିରେ ସମନ୍ୱିତ କୃଷି କରି ସେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ହିରୋଦଙ୍କ ଚାଷ ଶୈଳୀରୁ ଶିକ୍ଷା ନେବାକୁ ଓ ଏପରି ଅଭିନବ ପ୍ରୟାସକୁ ଆଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ।

