Tue. Feb 24th, 2026

ନ୍ୟୁଜ ଡେକ୍ସ : ମହାନଦୀ ଜଳ ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇନଥିବା ବେଳେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଦୋଷ ଠେଲାଠେଲି ଆରମ୍ଭ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପୂର୍ବ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆପୋଷ ସମାଧାନ ପାଇଁ ବର୍ତ୍ତମାନ ସରକାର ଗମ୍ଭୀର ଚେଷ୍ଟା କରୁଛନ୍ତି, ଯାହା ପୂର୍ବ ସରକାର ସମୟରେ ସମ୍ଭବ ହୋଇପାରିନଥିଲା।ଆଇନ ମନ୍ତ୍ରୀଙ୍କ କହିବା ଅନୁସାରେ, ୨୧ ଜଣ ସାକ୍ଷୀଙ୍କ ମଧ୍ୟରୁ ଗତ ୭ ବର୍ଷରେ ମାତ୍ର ଜଣେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ଟ୍ରିବ୍ୟୁନାଲ ସହ ପୂର୍ବ ସରକାରଙ୍କର ପ୍ରାୟ କୌଣସି ସହଭାଗୀତା ଥିଲା ନାହିଁ। କିନ୍ତୁ ନୂଆ ସରକାର ଆସିବା ପରେ ପ୍ରତି ମାସରେ ଗୋଟିଏ କରି ଶୁଣାଣି ହେଉଛି ଏବଂ ଟ୍ରିବ୍ୟୁନାଲ ମଧ୍ୟ ଏହି ମାମଲାକୁ ନିକଟରୁ ନିରୀକ୍ଷଣ କରୁଛନ୍ତି।ସେ ଆହୁରି କହିଛନ୍ତି ଯେ, ମହାନଦୀ ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ସମ୍ପନ୍ନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ ଜଳ ଶକ୍ତି ମନ୍ତ୍ରୀଙ୍କ ସହ ମଧ୍ୟ ବୈଠକ ହୋଇଛି। ଏଥିସହ ମୁଖ୍ୟ ଶାସନ ସଚିବ ଓ ବୈଷୟିକ କମିଟି ସ୍ତରରେ ମଧ୍ୟ ଆଲୋଚନା ହୋଇଥିବା କଥା ସେ ଉଲ୍ଲେଖ କରିଛନ୍ତି। ବୈଷୟିକ କମିଟି ମହାନଦୀରେ କେତେ ପାଣି ଆବଶ୍ୟକ, ବିଶେଷକରି ଅଣମୌସୁମୀ ଋତୁରେ ପାଣିର ଆବଶ୍ୟକତା କେତେ, ସେ ସମ୍ପର୍କରେ ଖୁବଶୀଘ୍ର ନିଷ୍କର୍ସରେ ପହଞ୍ଚିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।ଏହି ମଧ୍ୟରେ ଛତିଶଗଡ଼ ସରକାର ମଧ୍ୟ ଖୁବଶୀଘ୍ର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ଯାଉଛି।

ଉଭୟ ରାଜ୍ୟର ମନ୍ତ୍ରୀସ୍ତରୀୟ ବୈଠକରେ ମହାନଦୀ ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ମାସରେ ହେବାକୁ ରହିଛି। ଏଯାଏଁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।ଆଇନ ମନ୍ତ୍ରୀଙ୍କ ମତାନୁସାରେ, କେନ୍ଦ୍ର ଓ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ମାଧ୍ୟମରେ ଖୁବଶୀଘ୍ର ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ମିଳିବ ବୋଲି ସରକାର ଆଶାବାଦୀ।

Leave a Reply

Your email address will not be published. Required fields are marked *