ନ୍ୟୁଜ ଡେକ୍ସ: ମହାନଦୀ ଯୋବ୍ରା ଆନିକଟରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ। ଯୋବ୍ରା ଆନିକଟ ୯୩ ଗେଟ ନିକଟରୁ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ(୭୮) ବୋଲି ଜଣାପଡିଛି। ମାଲଗୋଦାମ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପଠାଇଥିବା ସୂଚନା ମିଳିଛି । ବୈଷ୍ଣବ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପାଖାପାଖି ରହୁଥିଲେ। ସେ ୧୫ ତାରିଖରୁ ନିଖୋଜ ଥିଲେ।
ଏନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି।
ପୂର୍ବତନ ପ୍ରଫେସରଙ୍କ କିପରି ମୃତ୍ୟୁ ଘଟିଲା ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ବୈଷ୍ଣବ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ପୂର୍ବତନ ପ୍ରଫେସରଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।