Thu. Oct 23rd, 2025

ନ୍ୟୁଜ ଡେକ୍ସ: ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ଘଟଣା । ରିପୋର୍ଟ ତଲବ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିରରୁ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତଦନ୍ତରେ ଯିଏ ବି ସ୍କାନରକୁ ଆସିବ ସେ ନିଶ୍ଚୟ ଦଣ୍ଡ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଭଗବାନଙ୍କୁ ଲାଗି ହେବାକୁ ଥିବା ମୋଦକକୁ ଗଣାଯାଏନି ।

ଏପଟେ ମୋଦକ ଚୋରି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ଆହୁରି ତଦନ୍ତ କରାଯିବ । ସିସିଟିଭି ମଧ୍ୟ ଯାଞ୍ଚ ହେବ । ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍‍ ନୁହେଁ ବୋଲି ଗଣମାଧ୍ୟମରେ କହିଛନ୍ତି ମୁଖ୍ୟ ପ୍ରଶାସକ। ସୂଚନା ଥାଉକି, ଶ୍ରୀଜିଉଙ୍କ ମୋଦକ ଚୋରି ହେବା ପରେ, ମହାପ୍ରଭୁଙ୍କଠାରେ ଲାଗି ହୋଇଥିଲା, ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । କହିବାକୁ ଗଲେ ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା ।

ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ । ଅନ୍ୟପଟେ,ଦଇତାପତି ନିଯୋଗ ସମ୍ପାଦକ ୩୧୩ ଦଶ ମୂଳ ମୋଦକ ନେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଗାରଦର କୌଣସି କର୍ମଚାରୀ ଏହା ସ୍ପର୍ଶ କରନ୍ତି ନାହିଁ । ଯଦି କିଏ ଦୋଷୀ ସାବ୍ୟସ୍ତ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave a Reply

Your email address will not be published. Required fields are marked *