ନ୍ୟୁଜ ଡେକ୍ସ : ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୮,୦୬୧.୮୯୨ ଏକର ଜମି ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇଛି। ଓଡ଼ିଶା ବାହାରେ ଥିବା ୬ଟି ରାଜ୍ୟରେ ମଧ୍ୟ ମହାପ୍ରଭୁଙ୍କ ନାମରେ ୩୯୫.୨୫୨ ଏକର ଜମି ରହିଥିବାର ତଥ୍ୟ ଆଜି ବିଧାନସଭା ଅଧିବେଶନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରଖିଛନ୍ତି।
ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏସଂକ୍ରାନ୍ତ ଲିଖିତ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ପ୍ରଦାନ କରିଥିଲେ।ତେବେ ଉଲ୍ଲେଖନୀୟ କଥା ହେଲା, ୨୦୨୨ ମସିହାରେ ଯେତେ ପରିମାଣ ଜମି ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇଥିଲା, ୨୦୨୫ରେ ମଧ୍ୟ ସେହି ପରିମାଣ ଅପରିବର୍ତ୍ତିତ ରହିଛି। ୨୬ ନଭେମ୍ବର ୨୦୨୨ରେ ତତ୍କାଳୀନ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟର ୨୪ଟି ଜିଲ୍ଲାରେ ମହାପ୍ରଭୁଙ୍କ ନାମରେ ୬୦,୪୨୬.୯୪୩ ଏକର ଜମି ଚିହ୍ନଟ ହୋଇଥିଲା ଏବଂ ୩୮,୦୬୧.୮୯୨ ଏକର ଜମି ରେକର୍ଡ ହୋଇଥିଲା।
ଏହା ସହ ୬ଟି ରାଜ୍ୟରେ ୩୯୫.୨୫୨ ଏକର ଜମି ଥିବା କଥା ମଧ୍ୟ ସ୍ପଷ୍ଟ କରାଯାଇଥିଲା। ଗତ ୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଗୋଟିଏ ବି ନୂଆ ଜମି ରେକର୍ଡ ହୋଇନଥିବା ତଥ୍ୟ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ଯଦିଓ ମହାପ୍ରଭୁଙ୍କ ନାମରେ ଜମି ରେକର୍ଡ ପରେ ଜବରଦଖଲ ହଟାଇବା ନିମନ୍ତେ ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ–୧୯୫୫ର ୧୬-ଏ(୧) ଅନୁଯାୟୀ ମାମଲା କରାଯାଉଛି ଏବଂ ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାାଣ୍ଡ ଏନ୍କ୍ଲୋଚମେଣ୍ଟ ଆକ୍ଟ–୧୯୭୨ ଅନୁଯାୟୀ ଜବରଦଖଲ ହଟାଇବା ପଦକ୍ଷେପ ନିଆଯାଉଛି, ତଥାପି ଅନେକ ଚିହ୍ନଟ ଜମି ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇପାରୁନଥିବାରୁ ପ୍ରଶ୍ନ ଉଠିଛି।

