Wed. Oct 22nd, 2025

ନ୍ୟୁଜ ଡେକ୍ସ : ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର । ଅପରାହ୍ନ ୨ଟା ୫୫ରେ ସରିଲା ସ୍ଥାନାନ୍ତର କାର୍ଯ୍ୟ । ୬ଟି ଆଲମିରା ଓ ୬ଟି ପ୍ୟାକେଟ୍‌ରେ ବନ୍ଦ ଅବସ୍ଥାରେ ସ୍ଥାନାନ୍ତରିତ ହେଲା ମହାପ୍ରଭୁଙ୍କ ରତ୍ନ ।

ଅଳଙ୍କାର ମାନ ସ୍ଥାନାନ୍ତରଣ ପରେ ମାଜିଷ୍ଟ୍ରେଟ ତଥା ଜିଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରକୁ ସିଲ୍ କରି ଦିଆଯାଇଥିବା ନେଇ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି ଯେ, ରତ୍ନଭଣ୍ଡାର ସିଲ୍ ପରେ ଏହାର ଚାବି ଟ୍ରେଜେରୀକୁ ହସ୍ତାନ୍ତର ହେବ । ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ସ୍ଥାନାନ୍ତର କରାଯାଇଛି । ଏସଓପି ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛି । ଗଣତି ମଣତି କେବେ ହେବ ରାଜ୍ୟ ସରକାର ସ୍ଥିର କରିବେ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭକ୍ତମାନଙ୍କ ପାଇଁ ମୁଖ୍ୟ ଦେଉଳ ତଥା ଝୁଲଣମଣ୍ଡପକୁ ପ୍ରବେଶ ବାରଣ କରାଯାଇଥିଲା।

ଏହି ସମୟରେ ଭକ୍ତମାନଙ୍କର ବେଢ଼ା ପରିକ୍ରମା ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଏହି କଟକଣା ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରାଧିକୃତ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସମେତ ୧୧ ଜଣିଆ ଟିମ୍ ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏଣେ ଶ୍ରୀଜିଉଙ୍କ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିବା ପରେ ଶ୍ରୀଜୀଉଙ୍କ ଦର୍ଶନ ସ୍ବାଭାବିକ ହୋଇଛି।

Leave a Reply

Your email address will not be published. Required fields are marked *