Thu. Oct 23rd, 2025

ନ୍ୟୁଜ ଡେକ୍ସ: ଏକାମ୍ରର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ବୈଦିକ ରୀତିରେ କେଦାର ଗୌରୀ ମନ୍ଦିର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି । ଶ୍ରୀଜୀଉଙ୍କ ବଡ଼ ସିଂହାର ବେଶ ବଢ଼ିବା ପରେ ମଥାରେ ପଗଡି ପିନ୍ଧି ପାଲିଙ୍କି ଚଢ଼ି ବର ବେଶରେ ଶୋଭାଯାତ୍ରା ଓ ରୋଷଣୀ ନେଇ ବାହାରିଥିଲେ । ଏହା ପୂର୍ବରୁ ବରଯାତ୍ରୀମାନଙ୍କୁ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା।

ଦେଶୀ ବାଦ୍ୟର ତାଳେ ତାଳେ ଦୁଲୁକିଲା ପୁରୁଣା ଭୁବନେଶ୍ୱର । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବିଳମ୍ବିତ ରାତିରେ ବାହାରିଥିଲା ବରଯାତ୍ରୀ। ବର ବେଶରେ ସଜେଇ ହୋଇ ବିରାଟ ଶୋଭାଯାତ୍ରାରେ ଲିଙ୍ଗରାଜ ମହାପ୍ରଭୂ ମା ପାର୍ବତୀଙ୍କ କେଦାର ଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ । ବରଯାତ୍ରୀ ଭାବେ ସେବାୟତ ଓ ଅନେକ ସ୍ଥାନୀୟ ଲୋକ ସାମିଲ ହୋଇଥିଲୋ। ବାଜା ବାଣରେ ରଥଦାଣ୍ଡ ଦୁଲୁକିଥିଲା । କେଦାରଗୌରୀ ମନ୍ଦିରରେ ପହଞ୍ଚିବା ପରେ ଯଥା ରୀତି ନୀତି ଅନୁଯାୟୀ ମହାପ୍ରଭୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା କହିଛନ୍ତି ସେବାୟତ।ଶନିବାର ତମାମ ସମସ୍ତ ଦେବ ନୀତି ବଢିବା ପରେ ରାତି ଦଶଟାରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହେବ ।

ଏହା ପୂର୍ବରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ କେଦାର ଗୌରୀ ମନ୍ଦିରରେ ଭୋଜିର ଆୟୋଜନ ମନ୍ଦିର ପରିଚାଳନା କମିଟି ଦ୍ୱାରା କରାଯାଇଛି ବୋଲି ସମ୍ପାଦକ ଲୁଲୁ ମହାପାତ୍ର ଓ ମିହିର ମହାପାତ୍ର ସୂଚନା ଦେଇଛନ୍ତି । ଶୀତଳ ଷଷ୍ଠୀ କମିଟି ଶୋଭାଯାତ୍ରା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥର ଶୋଭାଯାତ୍ରାରେ ଓଡ଼ିଶାର ପ୍ରସିଦ୍ଧ ଗୋଟିପୁଅ ନୃତ୍ୟ, ଘଣ୍ଟ, ଦୁଲଦୁଲି, ଗଞ୍ଜାମର ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବାରିପଦାର ଛଉ ନୃତ୍ୟ, ଢୋଲ, ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଢେଇ ନାଚ, ଘୋଡା ନାଚ, ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି ନୃତ୍ୟ ପରିବେଷଣ କରାଯିବ।

Leave a Reply

Your email address will not be published. Required fields are marked *