ନ୍ୟୁଜ ଡେକ୍ସ : ମହାଶିବରାତ୍ରି ଓ ଜାଗର ଉପଲକ୍ଷେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ଏହିଦିନ ଏକ ଅପୂର୍ବ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। ‘ଓମ୍ ନମଃ ଶିବାୟ’, ‘ହରିବୋଲ’, ‘ହୁଳହୁଳି’ର ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ବ୍ରାହ୍ମଣୀ, କୋଇଲ ଓ ସଙ୍ଖ ନଦୀର ସଙ୍ଗମସ୍ଥଳୀ ତ୍ରିବେଣୀରେ ହଜାର ହଜାର ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ।
ଓଡିଶା ସହିତ ସାଥି ସାଥି ପଡୋଶୀ ରାଜ୍ୟ ଝାରଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ବିହାରରୁ ମଧ୍ୟ ଶ୍ରଦ୍ଧାଳୁମାନେ ବେଦବ୍ୟାସକୁ ଭିଡ଼ ଲଗାଇଥିଲେ।ସକାଳୁ ମନ୍ଦିର ପରିସରରେ ଦର୍ଶନ ପାଇଁ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ଅନେକ ଶ୍ରଦ୍ଧାଳୁ ଉପବାସ ରହି ଦୀପ ଜାଳି ରାତିଭର ଜାଗର କରିଥିଲେ। ଦୀପ ଓ ରଙ୍ଗିନ ଆଲୋକମାଳାରେ ମନ୍ଦିର ଓ ମେଳାପଡିଆ ଝଲସିଉଠି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ମହାଦୀପ ଦର୍ଶନ ପାଇଁ ରାତିରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ କରିଥିଲେ ଓ ଭିଡ଼ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ଅବିରତ ରହିଥିଲା। ରାତି ୩ଟାରେ ବାଲୁଙ୍କେଶ୍ବର ଓ ଚନ୍ଦ୍ରଶେଖର ମନ୍ଦିରରେ ମହାଦୀପ ଉଠିଥିଲା। ବାଲୁଙ୍କେଶ୍ବର ମନ୍ଦିରରେ ରାଉରକେଲା ଏସ୍ପି ନିତୀଶ ୱାଧୱାନୀ ଓ ଲଠିକଟା ତହସିଲଦାର ମୁରଲୀଧର ରୁମାଲ ମହାଦୀପ ଉଠାଇଥିବାବେଳେ, ଚନ୍ଦ୍ରଶେଖର ମନ୍ଦିରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଆର୍ଏସ୍ପି କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଲୋକ ବର୍ମା ଏହି ପବିତ୍ର କାର୍ଯ୍ୟ ସମ୍ପନ୍ନ କରିଥିଲେ।
ଦୁଇଟି ମନ୍ଦିର ଚତୁଃପାର୍ଶ୍ବରେ ମହାଦୀପ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା।ମହାଶିବରାତ୍ରି ସହିତ ଆଜିଠୁ ଆସନ୍ତା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଐତିହାସିକ ଜାଗର ମେଳା ମଧ୍ୟ ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଦେଶର ବିଭିନ୍ନ କୋଣଅନୁକୋଣରୁ ୭୦୦ରୁ ଅଧିକ ଦୋକାନ ମେଳାରେ ଖୋଲାଯାଇଛି। ଖାଦ୍ୟ, ଖେଳନା, ହସ୍ତଶିଳ୍ପ ଓ ଦୈନିକ ଆବଶ୍ୟକୀୟ ସାମଗ୍ରୀର ଦୋକାନରେ ମେଳା ପରିସର ଖୁବ ଚଞ୍ଚଳ ହୋଇଉଠିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି। ୧୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୨୮୬ ଜଣ ହୋମଗାର୍ଡ, ୭ ଜଣ ଡିଏସ୍ପି ଓ ଅତିରିକ୍ତ ଏସ୍ପି, ୧୩ ଇନ୍ସପେକ୍ଟର, ୬୬ ଏସ୍ଆଇ ଓ ଏଏସ୍ଆଇ ମୁତୟନ ରହିଛନ୍ତି। ଟ୍ରାଫିକ ପରିଚାଳନା ପାଇଁ ୧୩ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସମଗ୍ର ମେଳାପଡିଆ ଓ ମନ୍ଦିର ଚତୁଃପାର୍ଶ୍ବକୁ ସିସିଟିଭି କ୍ୟାମେରାରେ ନିରୀକ୍ଷଣ କରାଯାଉଛି।ଅଗ୍ନି ନିରାପତ୍ତାକୁ ନେଇ ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମେଳାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ, କୁଇକ୍ ରେସପନ୍ସ ଟିମ୍ ଓ ରବର ବୋର୍ଟ ମହଜୁଦ ରଖାଯାଇଛି। ନଦୀଘାଟ ଓ ମନ୍ଦିର ନିକଟରେ ବ୍ୟାରିକେଡ୍ କରାଯାଇଥିବାବେଳେ, ମେଳା ସମୟରେ ମନ୍ଦିରା ଡ୍ୟାମରୁ ବ୍ରାହ୍ମଣୀ ନଦୀକୁ ପାଣି ଛାଡ଼ିବା ଉପରେ ନିଷେଧ ଲଗାଯାଇଛି।ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଓ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସୁସଂଗଠିତ ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ ବ୍ୟବସ୍ଥା ମଧ୍ୟରେ ଭକ୍ତି, ଆସ୍ଥା ଓ ଶୃଙ୍ଖଳାର ଅଦ୍ଭୁତ ସମନ୍ୱୟ ସହ ବେଦବ୍ୟାସର ମହାଶିବରାତ୍ରି ଜାଗର ଏବର୍ଷ ମଧ୍ୟ ସଫଳ ଓ ଭବ୍ୟ ରୂପ ନେଇଛି।

