ନ୍ୟୁଜ ଡେକ୍ସ: ବୁଧବାର ମହାଶିବରାତ୍ରି । ଏହାର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ପଙ୍କୋଦ୍ଧାର ଏକାଦଶୀ । ବାବା ଶ୍ରୀଲୋକନାଥଙ୍କ ଶ୍ରୀଅଙ୍ଗରୁ ପାଦୁକ ଉଦ୍ଧାର କରାଯିବ । ବର୍ଷକେ ଏହି ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ହିଁ ଠାକୁରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦିନ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଆସନ୍ତାକାଲି ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ପାଳନ ହେବ। ଯାହା ପାଇଁ ଚଳଚଞ୍ଚଳ ହୋଇଯାଇଛି ଲୋକନାଥଙ୍କ ପୀଠ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷା କରିରହିଛନ୍ତି। ପ୍ରତିବର୍ଷର ଏହି ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ବର୍ଷ ସାରା ପ୍ରଭୁଙ୍କ ଉପରେ ଭକ୍ତ ଦେଉଥିବା ବେଲପତ୍ର ଏବଂ ଫୁଲରେ ପ୍ରଭୁ ଘୋଡେଇ ହୋଇ ରହିଥାନ୍ତି ତେଣୁ ଦର୍ଶନ ସମ୍ଭବ ହୋଇନଥାଏ। ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୂଙ୍କ ଉପରୁ ବର୍ଷ ତମାମ ପଡ଼ି ରହିଥିବା ବେଲ ପତ୍ର, ଫୁଲ କଡା ଯାଏ। ଏଣୁ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସୁବିଧା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବିଶେଷ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି।ପଙ୍କୋଦ୍ଧାର ଏକାଦଶୀ ଉପଲକ୍ଷେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଆରକ୍ଷୀ ଏସପି, ୫ ଜଣ ଡିସପି, ୧୫ ଜଣ ଇନିସ୍ପେକ୍ଟର, ୪୧ ଜଣ ଏସଆଇ ଓ ଏଏସଆଇ, ୭୨ ଜଣ ହାବିଲଦାର, କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏଥିସହ ମନ୍ଦିର ଭିତରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପୁରୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
