ନ୍ୟୁଜ ଡେକ୍ସ : ଆସନ୍ତା ୫ ଦିନ ପରେ ପବିତ୍ର ମହାଶିବରାତ୍ରୀ ପାଳନ ହେବାକୁ ଯାଉଥିବାବେଳେ, ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କ ପୀଠ ଉତ୍ସବମୁଖର ହେବାକୁ ପ୍ରସ୍ତୁତ। ମହାଶିବରାତ୍ରୀର ପବିତ୍ର ଜାଗର ଯାତ୍ରା ଓ ମହାଦୀପ ଉତ୍ସବକୁ ସୁଚାରୁ ଓ ଶୃଙ୍ଖଳିତ ଭାବରେ ସମ୍ପନ୍ନ କରିବା ନେଇ ଆଜି ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକଟି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିଲା।
ଏହି ବୈଠକରେ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ସମ୍ପର୍କିତ ସମସ୍ତ ନୀତିକାନ୍ତି, ଭକ୍ତ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ଓ ମହାଦୀପ ଉଠିବା ଦୃଶ୍ୟକୁ ସାରା ବିଶ୍ୱର ଶିବଭକ୍ତମାନେ ଅପେକ୍ଷା କରିଥା’ନ୍ତି। ସେଥିପାଇଁ ନିର୍ଦ୍ଧାରିତ ସମୟାନୁସାରେ ନୀତିକାନ୍ତି ସମ୍ପନ୍ନ କରିବା ସହ ଭକ୍ତମାନେ ନିର୍ବିଘ୍ନ ଓ ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗକୁ ସମନ୍ୱୟରେ କାମ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ମନ୍ତ୍ରୀ ଏହାମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜାଗର ସମୟରେ ନକଲି ପାସ୍ଧାରୀ ସେବାୟତ କିମ୍ବା ଅନଧିକୃତ ବ୍ୟକ୍ତିମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ମନ୍ଦିରର ପବିତ୍ରତା ଓ ନୀତିକାନ୍ତିର ଶୁଚିତା ରକ୍ଷା ପାଇଁ କୌଣସି ପ୍ରକାର ଅବହେଳା ସହିଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।ବୈଠକରେ ମନ୍ଦିର ପରିସର ଓ ଆସପାସ ଅଞ୍ଚଳର ସଫେଇ, ଆଲୋକୀକରଣ, ବ୍ୟାରିକେଡିଂ, ଭକ୍ତଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ, ଛାୟାପ୍ରଦ ସେଡ୍, ପବନ ଚଳାଚଳ ବ୍ୟବସ୍ଥା, ଅଗ୍ନିନିରାପତ୍ତା, ଭିଡ଼ ଓ ଟ୍ରାଫିକ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା, ସିସିଟିଭି ନିରୀକ୍ଷଣ, କଣ୍ଟ୍ରୋଲ ରୁମ୍ ଏବଂ ଗଣମାଧ୍ୟମ ଜରିଆରେ ସୂଚନା ପ୍ରସାରଣ ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା ହୋଇଥିଲା।
ଏହି ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଏମ୍ସି ମେୟର ସୁଲୋଚନା ଦାସ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ଭୁବନେଶ୍ବର–କଟକ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ଜେନା ସହ ବିଭିନ୍ନ ବିଭାଗର ଅଧିକାରୀ, ନୀତିକାନ୍ତି ସଂପୃକ୍ତ ନିଯୋଗ ଓ ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ସମନ୍ୱିତ ପ୍ରୟାସରେ ଏବର୍ଷ ମହାଶିବରାତ୍ରୀର ଲିଙ୍ଗରାଜ ଜାଗର ଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସ୍ମରଣୀୟ କରିବା ଲକ୍ଷ୍ୟ ରଖାଯାଇଛି।

