ନ୍ୟୁଜ ଡେକ୍ସ : ମହାଶିବରାତ୍ରୀକୁ ଆଉ ମାତ୍ର ୧୭ ଦିନ ବାକି ଥିବାବେଳେ ଶ୍ରୀଲିଙ୍ଗରାଜ ମନ୍ଦିରର ପ୍ରସ୍ତୁତି ନେଇ ଚଳଚଳାହଟ ଆରମ୍ଭ ହୋଇଛି। ବିଗତ କିଛି ଦିନ ଧରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅସ୍ଥିରତା କାରଣରୁ ପ୍ରସ୍ତୁତି ବୈଠକ ହୋଇପାରୁନଥିଲା। ତେବେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ଦିଆଯିବା ପରେ ପ୍ରସ୍ତୁତିକୁ ଗତି ମିଳିଛି।
ଶୁକ୍ରବାର ଅପରାହ୍ଣରେ ସେବାୟତ ପ୍ରତିନିଧିମାନଙ୍କୁ ନେଇ ମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରଥମ ନୀତି ନିର୍ଘଣ୍ଟ ପ୍ରସ୍ତୁତି ବୈଠକ ହେବ। ସେବାୟତଙ୍କ ଦ୍ୱାରା ପ୍ରସ୍ତାବିତ ନୀତି ନିର୍ଘଣ୍ଟକୁ ଶନିବାର ଟ୍ରଷ୍ଟ ବୋର୍ଡ ବୈଠକରେ ଅନୁମୋଦନ ପାଇଁ ପଠାଯିବ।ଚୁଡାନ୍ତ ଅନୁମୋଦନ ପରେ ସେହି ଅପରାହ୍ଣରେ ସ୍ୱତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାପାଳ, ବିଧାୟକ, ମେୟର ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ସମନ୍ୱୟ ବୈଠକ ହୋଇ ଔପଚାରିକ ଭାବେ ମହାଶିବରାତ୍ରୀର ନୀତି ନିର୍ଘଣ୍ଟ ସମୟ ଘୋଷଣା କରାଯିବ।
ଏପଟେ ଏଯାଏଁ ଗୋଟିଏ ବି ପ୍ରସ୍ତୁତି ବୈଠକ ହୋଇନଥିବାକୁ ନେଇ ସେବାୟତ ଓ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ ପରେ ଏବେ ମହାଶିବରାତ୍ରୀ ପ୍ରସ୍ତୁତି ସଠିକ ଦିଗରେ ଆଗୁଆଁ ବଢ଼ୁଛି।

