Sun. Feb 22nd, 2026

ନ୍ୟୁଜ ଡେକ୍ସ : ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଅଭିଯାନ ଓ ପ୍ରକଳ୍ପର ଶୁଭ ଉଦଘାଟନ ସହ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନ ସ୍ଥିତ କନଭେନସନ ସମ୍ମିଳନୀ କକ୍ଷରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଧ୍ୟକ୍ଷତା କରି ମହିଳା ସଶକ୍ତିକରଣକୁ ବିକଶିତ ଓଡ଼ିଶାର ମୂଳ ଆଧାର ବୋଲି ଉଲ୍ଲେଖ କରିଥିଲେ।

ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା ଓ ଶିଶୁମାନଙ୍କ ପାଇଁ ସୁରକ୍ଷିତ, ସମାନ ଓ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ମାତୃଭାଷା ଆଧାରିତ ପ୍ରାରମ୍ଭିକ ଶିକ୍ଷା, ବାଲ୍ୟ ବିବାହ ରୋକଥାମ, କିଶୋରୀ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଭାଗୀୟ ସମନ୍ୱୟ ଏବଂ ତଳସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ‘ଆମେ ପଢ଼ିବା ଆମ ଭାଷାରେ’ ନାମକ ପାଞ୍ଚବର୍ଷୀୟ ଯୋଜନାର ଶୁଭାରମ୍ଭ କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱୟରେ ଏହି ଯୋଜନା ଅଧୀନରେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମୁଣ୍ଡା, କୁଇ, ସଉରା, କୁଭି, ଗୋଣ୍ଡି ଓ କୋୟା ଭାଷାରେ ଏହା କାର୍ଯ୍ୟକାରୀ ହେବ।ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଭାଷା ଭିତ୍ତିକ ତାଲିମ, ଆଧୁନିକ ଶିକ୍ଷା ସାମଗ୍ରୀ ଓ ଅଡିଓ-ଭିଜୁଆଲ ବିଷୟବସ୍ତୁ ପ୍ରଦାନ କରାଯିବ।

‘ସୁଭଦ୍ରା ଯୋଜନା’ ପରି ଏହି ଯୋଜନାକୁ ଘରେ ଘରେ ପହଞ୍ଚାଇବା ଓ ଅଙ୍ଗନୱାଡ଼ିକୁ ଆକର୍ଷଣୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ।ସେହିପରି ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ୧୦୦ ଦିନିଆ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଛି। ଏହାର ଅଂଶ ଭାବେ ସମୁଦାୟ, ଯୁବ ନେତୃତ୍ୱ, ଆଶା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ସକ୍ରିୟ ସଂପୃକ୍ତି ସହ ସାଇକେଲ ରାଲି, ଯୁବ ସମ୍ମିଳନୀ, ମାନବ ଶୃଙ୍ଖଳ ଓ ଡିଜିଟାଲ ସଚେତନତା କାର୍ଯ୍ୟକ୍ରମ ଚାଲିବ। ବୈଠକରେ ମୟୂରଭଞ୍ଜ ଜିଲ୍ଲାରେ ୟୁନିସେଫ ସହଯୋଗରେ କିଶୋରୀ ମାଆ ସହାୟତା ଓ କିଶୋରୀ ଗର୍ଭଧାରଣ ରୋକିବା ପାଇଁ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି।

ଏହା ଭବିଷ୍ୟତରେ ରାଜ୍ୟସ୍ତରୀୟ ମଡେଲ୍ ଭାବେ ବିକଶିତ ହେବ।ଏହା ସହ ବରପାଲି ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ (SIWC)ର ନୂତନ ପ୍ରଶାସନିକ ଭବନ ଓ ବୌଦ୍ଧ-କନ୍ଧମାଳ ଜିଲ୍ଲାରେ ICDS କ୍ଷେତ୍ର ଅଧିକାରୀଙ୍କ ଆବାସିକ କ୍ୱାର୍ଟର୍ସର ଉଦଘାଟନ କରାଯାଇଛି। ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଆଭାସୀ ମାଧ୍ୟମରେ ଯୋଗ ଦେଇ ମାତୃଭାଷାରେ ଶିକ୍ଷାର ମହତ୍ୱ ଓ ଶିଶୁଙ୍କ ଚରିତ୍ର ଗଢ଼ାଣିରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *