Mon. Dec 23rd, 2024

ନ୍ୟୁଜ ଡେକ୍ସ: ମାଓବାଦୀଙ୍କ ବର୍ବରତା ଶୁଣିଛନ୍ତି, ହେଲେ ନିଜକୁ ମାଓବାଦୀ କହି ପ୍ରଜାକୋର୍ଟରେ ଶାସନ ଚଳାଇଥିଲେ ୫ ବ୍ୟକ୍ତି। ସାଧାରଣ ଲୋକଙ୍କୁ ପ୍ରଜାକୋର୍ଟର ଧମକ ଦେଖାଇ ବଟି ଆଦାୟ କରୁଥିଲେ। ଆଉ ଏହି ନକଲି ମାଓବାଦୀ ଏବେ ପୋଲିସ ହାତରେ ଧରା ପଡିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡପଦର ପଞ୍ଚାୟତର ନାୟବ ସରପଞ୍ଚ ଭକ୍ତରାମ ଶିଶା ଚିତ୍ରକୋଣ୍ଡା ଥାନାରେ ଏକ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଅନୁଯାୟୀ ଜଗୁ ହନ୍ତାଳ ଏବଂ ଏମ୍. ନାରାୟଣ ନାମକ ବ୍ୟକ୍ତି ଦୁଇ ଜଣ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଠିକା କାମ କରନ୍ତି । ଏହି ଦୁଇ ଜଣଙ୍କ ଠିକା କାମ ଅତି ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ଦୁଇଜଣଙ୍କ କାମର ବିଲ୍ ଗୁଡିକ ଚିତ୍ରକୋଣ୍ଡା ବ୍ଲକରେ ପଡି ରହିଛି । ତେବେ ହରିବନ୍ଧୁ ଗତନ ଏହି ଦୁଇଜଣଙ୍କୁ ଠିକା କାମ ସମ୍ବନ୍ଧୀୟ ଉପକରଣ ଯୋଗାଇଥିଲେ ।

ଉପକରଣ ନିମନ୍ତେ ବକେୟା ଟଙ୍କା ମାଗିବାରୁ ହରିବନ୍ଧୁ ଓ ଏହି ଦୁଇ ଜଣ ଠିକାଦାରଙ୍କ ମଧ୍ୟରେ ବିବାଦ ହୋଇଥିଲା । ମାଓବାଦୀ ବୋଲି ନିଜକୁ ପରିଚୟ ଦେଇ ଦୁଇ ଜଣ ଅଭିଯୋଗକାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ତୁରନ୍ତ ଦୁଇ ଜଣ ଠିକାଦାରଙ୍କ ବିଲ୍ ଚିତ୍ରକୋଣ୍ଡା ବ୍ଲକରୁ ପାସ କରାଇବା ପାଇଁ କହିଥିଲେ । କେବଳ ସେତିକି ନୁହେଁ ପ୍ରତ୍ୟେକ ବ୍ୟକ୍ତି ଜରିମାନା ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ପୈଠ କର, ନଚେତ୍ ଦୁଇ ଜଣଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାକୁ ଆଧାର କରି ଉକ୍ତ ୫ ନକଲି ମାଓବାଦୀଙ୍କୁ ଗିରଫ କଲା ପୋଲିସ। ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଓ ୪୦୦ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *